ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ମାରି ଦୋକାନୀ ଗିରଫ
ଯୁବତୀଙ୍କୁ ମାଡ଼ମାରି ଯୁବକ ଗିରଫ, ୨ ଲୁଟେରା ଗିରଫ, ଟଙ୍କା ଜବତ
ଭୁବନେଶ୍ବର : ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଲକ୍ଷ୍ମୀସାଗର ଫେଜ୍-୨ ଅଞ୍ଚଳର ସର୍ବୋଜିତ୍ ମାଝୀ(୪୨)କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ସାଙ୍ଗ ମାନଙ୍କ ସହ ମିଶି ସର୍ବୋଜିତ୍ ରାମମନ୍ଦିର ନିକଟ ଥିବା ତାଙ୍କ ଜେରକ୍ସ ଦୋକାନରେ ଭୋଜି କରୁଥିଲେ। ଏହି ସମୟରେ ସେମାନେ ନିଶା ଖାଇ ପାଟିତୁଣ୍ଡ କରିବାରୁ ସିକ୍ୟୁରିଟି ଗାର୍ଡ ଶୁକଦେବ ପାତ୍ର ସେମାନଙ୍କୁ ବାରଣ କରିଥିଲେ। ଯାହାକୁ ନେଇ ସର୍ବୋଜିତ ଓ ତାଙ୍କ ସାଙ୍ଗମାନେ ଉତ୍ତ୍ୟକ୍ତ ହୋଇ ଶୁକଦେବଙ୍କୁ ନିସ୍ତୁକମାଡ଼ ମାରିଥିଲେ। ଏନେଇ ଶୁକଦେବ ଥାନାରେ ଅଭିଯୋଗ କରିଥିଲେ।
ଯୁବତୀଙ୍କୁ ମାଡ଼ମାରି ଯୁବକ ଗିରଫ
ଭୁବନେଶ୍ବର : ଯୁବତୀଙ୍କୁ ମାଡ଼ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ପଥରବନ୍ଧ ବସ୍ତିର ବିଶ୍ବଜିତ ରାଉତ(୨୫)। ବିଶ୍ବଜିତ ସ୍ଥାନୀୟ ଅଞ୍ଚଳର ରଘୁନାଥ ନାୟକଙ୍କ ଘର ସମ୍ମୁଖରେ ଗାଳିଗୁଲଜ କରୁଥିଲା। ରଘୁନାଥଙ୍କ ଝିଅ ପ୍ରତିବାଦ କରିବାରୁ ବିଶ୍ବଜିତ ତାଙ୍କୁ ମାଡ଼ମାରିଥିଲା। ଏନେଇ ରଘୁନାଥ ଥାନାରେ ଅଭିଯୋଗ କରିଥିଲେ।
୨ ଲୁଟେରା ଗିରଫ, ଟଙ୍କା ଜବତ
ଭୁବନେଶ୍ବର : ଲୁଟ୍ପାଟ୍ ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ୪ଟି ମୋବାଇଲ୍ ଫୋନ୍ ଓ ୩ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ନେତାଜୀ ଲେପର୍ସି କଲୋନିର କିଶୋର ବେହେରା ଓରଫ ବୁଲୁ(୩୦) ଓ ସୁଜିତ ପାତ୍ର(୩୦)। କିଛିଦିନ ହେବ ବୁଲୁ ଓ ସୁଜିତ ଲୁଟ୍ପାଟ୍ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ପୁଲିସ ଉଭୟଙ୍କୁ ଗିରଫ ପାଇଁ ବିଭିନ୍ନ ସମୟରେ ଚଢ଼ଉ ଜାରି ରଖିଥିଲା। ବୁଧବାର ବିଳମ୍ବିତ ରାତିରେ ଉଭୟ ଆଇଡିବିଆଇ ଛକ ନିକଟ ଏକ ନିଛାଟିଆ ସ୍ଥାନରେ ଥିବା ପୁଲିସ ଖବର ପାଇଥିଲା। ଏହାପରେ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ଉଭୟ ଫେରାର୍ ଉଦ୍ୟମ କରିଥିଲେ। ହେଲେ ପୁଲିସ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।