ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କଟକ ସାଲେପୁର ଅଞ୍ଚଳର ସନାତନ ପରିଡ଼ା(୨୩)। ଏଠାରେ ଲିଙ୍ଗରାଜ ଥାନା ଅଧୀନ ହରଚଣ୍ଡୀ ସାହିରେ ରୁହେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନାତନ ଓ ଭୀମଟଙ୍ଗୀ ଅଞ୍ଚଳର ବିରଞ୍ଚି ନାରାୟଣ ବେହେରାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଗତ ୧୨ ତାରିଖ ଅପରାହ୍ଣ ୪ଟା ସମୟରେ ବିରଞ୍ଚି ଏୟାରଫିଲ୍ଡ ପୂର୍ଣ୍ଣମା ଗେଟ୍‌ ଛକରୁ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ସନାତନ ଓ ତାର ଦୁଇ ସହଯୋଗୀ ମିଶି ଖଣ୍ଡାଧରି ବିରଞ୍ଚିଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲା। ବିରଞ୍ଚି ଜୀବନ ବିକଳରେ ସେଠାରୁ ଧାଇଁ ଏକ ଘରେ ଲୁଚି ଯାଇଥିଲେ। ଅଭିଯୁକ୍ତମାନେ ସେଠାରୁ ଯିବା ପରେ ବିରଞ୍ଚି ଏୟାର୍‌ଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ସନାତନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର