ମହଙ୍ଗା ପଡ଼ିଲା ମହିଳାଙ୍କୁ ବ୍ଲାକ୍‌ମେଲିଂ : ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଖଣ୍ଡଗିରି ଥାନା

ଖଣ୍ଡଗିରି : କିଛି ଦୁର୍ବଳ ମୁହୂର୍ତ୍ତରୁ ଫାଇଦା ଉଠାଇଥିବା ଘଟଣାକୁ ବ୍ୟବହାର କରି ଜଣେ ମହିଳାଙ୍କୁ ବାରମ୍ବାର ବ୍ଲାକ୍‌ମେଲିଂ କରିବା ଶେଷରେ ଶଠ ଯୁବକ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଶନିବାର ଏଭଳି ଜଣେ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦୁଝର ଟାଉନ୍‌ର ସିଦ୍ଧେଶ୍ବର ସାହୁ(୩୯)। ସୂଚନାନୁସାରେ ଅଭିଯୋଗକାରିଣୀ କେନ୍ଦୁଝରରେ ସ୍ବାମୀଙ୍କ ସହ ଅଭିଯୁକ୍ତ ସିଦ୍ଧେଶ୍ବର ଘର ପାଖରେ ଭଡ଼ାରେ ରହୁଥିଲେ। ବହୁ ସମୟରେ ତାଙ୍କ ସ୍ବାମୀ ଚାକିରି କାମରେ ବାହାରକୁ ଯାଉଥିବାରୁ ଛୋଟମୋଟ କାମ ପାଇଁ ସେ ପଡ଼ୋଶୀ ହିସାବରେ ସିଦ୍ଧେଶ୍ବରର ସହାୟତା ନେଉଥିଲେ। ମାତ୍ର ମହିଳାଙ୍କ ସରଳତାର ସୁଯୋଗ ନେଇ ଧୂର୍ତ୍ତ ସିଦ୍ଧେଶ୍ବର ଫାଇଦା ଉଠାଇବା ଚକ୍କରରେ ଥିଲା। ମଉକା ଦେଖି ସେ ମହିଳାଙ୍କର କିଛି ଅସଂଯତ ଅବସ୍ଥାର ଫ‌‌ଟୋ ଉଠାଇ ରଖିଥିଲା ଓ ପରେ ସେଗୁଡ଼ିକୁ ଦେଖାଇ ମହିଳାଙ୍କୁ ବ୍ଲାକ୍‌ମେଲିଂ କରିବାକୁ ଲାଗିଲା। ଏହାକୁ ନେଇ ପରିସ୍ଥିତି ଏମିତି ହେଲା ‌ଯେ ଶେଷରେ ବାଧ୍ୟ ହୋଇ ଦମ୍ପତି କେନ୍ଦୁଝର ଛାଡ଼ି ଭୁବନେଶ୍ବର ପଳାଇ ଆସିଥିଲେ ଓ ଖଣ୍ଡଗିରି ଅଞ୍ଚଳରେ ରହିଥିଲେ। ମାତ୍ର ସିଦ୍ଧେଶ୍ବର ପିଛା ଛାଡ଼ି ନଥିଲା। ସେ ଖୋଜି ଖୋଜି ଖଣ୍ଡଗିରିରେ ବି ପହଞ୍ଚିଥିଲା ଓ ମହିଳାଙ୍କୁ ପୁଣି ବ୍ଲାକ୍‌ମେଲିଂ କରିବା ଆରମ୍ଭ କଲା। ତେଣୁ ବାଧ୍ୟ ହୋଇ ମହିଳାଜଣଙ୍କ ସ୍ବାମୀଙ୍କ ସହ ଆସି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ପରାମର୍ଶ ଅନୁସାରେ ମହିଳାଜଣଙ୍କ ସିଦ୍ଧେଶ୍ବରକୁ ଭୁବନେଶ୍ବର ଡକାଇବା ପରେ ସେ ପୁଲିସ ଜାଲରେ ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର