ନାବାଳିକାକୁ ମନ୍ଦିରରେ ମଥାରେ ସିନ୍ଦୂର ଭରି ସାଥୀରେ ନେଇ ଯାଉଥିବା ବ୍ୟକ୍ତିକୁ ରେଳ ଷ୍ଟେସନ୍ରୁ ଧରିଲା ପୁଲିସ୍
ଗାଜିଆବାଦ୍: ଉତ୍ତରପ୍ରଦେଶର ଗାଜିଆବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ଜଣେ ୧୨ ବର୍ଷୀୟା ନାବାଳିକାକୁ ଜବରଦସ୍ତ ଏକ ମନ୍ଦିରକୁ ଟେକି ନେଇ ସେଠାରେ ନାବାଳିକା ମୁଣ୍ଡରେ ବଳପୂର୍ବକ ସିନ୍ଦୂର ଭରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ନାବାଳିକାକୁ ସିନ୍ଦୂର ପିନ୍ଧାଇବା ପରେ ଭଗାଇ ନେବା ସମୟରେ ତାକୁ ପୁଲିସ୍ ଧରି ଗିରଫ କରିଛି। ବ୍ୟକ୍ତ ଜଣକ ନାବାଳିକାକୁ ନେଇ ପଳାଉଥିବା ବେଳେ ପୁଲିସ୍ ତାକୁ ରେଳ ଷ୍ଟେସନ୍ରୁ ଧରିବା ପରେ ଗିରଫ କରିଛି।
ଘଟଣାଟି ହେଉଛି ଗାଜିଆବାଦ୍ର ସିହାନି ଗେଟ୍ ଅଞ୍ଚଳର। ଖବରରୁ ଜାଣିବାକୁ ମିଳିଛି ଯେ, ଅଭିଯୁକ୍ତ ବ୍ୟକ୍ତି ଜଣକ ନାବାଳିକାକୁ ବୁଲାଇବା ବାହାନାରେ ମନ୍ଦିର ନେଇ ଯାଇଥିଲା। ସେଠାରେ ସେ ନାବାଳିକାଙ୍କ ମଥାରେ ସିନ୍ଦୂର ଭରିଥିଲା। ସିନ୍ଦୂର ଭରିବା ପରେ ବ୍ୟକ୍ତି ଜଣକ ଡରେଇ ଧମକେଇ ନାବାଳିକାକୁ ତା’ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲା।
ବ୍ୟକ୍ତ ଜଣକ ନାବାଳିକାଙ୍କୁ ନେଇ ଯାଉଥିବା ସମୟରେ ନାବାଳିକାଙ୍କର ଜଣେ ପରିଚିତ ଲୋକ ତାକୁ ଦେଖି ନାବାଳିକାଙ୍କ ପରିବାର ଲୋକଙ୍କୁ କହିବା ପରେ ଘଟଣା ଜଣାପଡ଼ିଥିଲା। ପରିବାର ଲୋକ ଏ ନେଇ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତା’ପରେ ଖୋଜାଖୋଜି କରି ସେ ଦୁହିଁଙ୍କୁ ରେଳ ଷ୍ଟେସନ୍ରୁ ଧରିବାରେ ସମର୍ଥ ହୋଇଥିଲା।
ପୁଲିସ୍ ସେ ଦୁହିଁଙ୍କୁ ଧରିବା ପରେ ନାବାଳିକାଙ୍କୁ ପୁଲିସ୍ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଥାନାକୁ ନେଇ ଯାଇଥିଲା। ପୁଲିସ୍ ଏବେ ଅଭିଯୁକ୍ତକୁ ପଚରାଉଚରା କରୁଛି।