ହାଜତରୁ ଖସି ପଳାଇଲେ ମୁସେୱାଲା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ ଟିନୁ

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ ଟିନୁ ଶନିବାର ରାତିରେ ପଞାବର ମାନସାସ୍ଥିତ ‘କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ର ହାଜତରୁ ଖସି ପଳାଇଥିବା କଥା ଆଜି ପୁଲିସ ଅଧିକାରୀମାନେ କହିଛନ୍ତି।

ମୂସେୱାଲା ହତ୍ୟା ମାମଲାରେ ଟିନୁଙ୍କ ନାଁରେ ଚାର୍ଜସିଟ୍‌ କରାଯାଇଥିଲା। ମନସା ପୁଲିସ ଚଳାଇଥିବା ଅନ୍ୟ କେତେକ ମାମଲାରେ ତାଙ୍କୁ ଗୋୱିନ୍ଦୱାଲା ସାହିବ୍‌ ଜେଲ୍‌ରୁ ‘ପ୍ରଡକସନ୍‌ ୱାରେଣ୍ଟ୍‌’ ଜରିଆରେ ଅଣାଯାଇଥିଲା। ଶନିବାର ରାତିରେ ସେ ‘ସିଆଇଏ’ ହାଜତରୁ ଖସି ପଳାଇଥିବା କୁହାଯାଉଛି।

କିନ୍ତୁ, ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ପୁଲିସ ରିମାଣ୍ଡ୍‌ରେ ଗୋଟାଏ ଘରୋଇ ଗାଡ଼ିରେ କପୁରତାଲା ଜେଲ୍‌ରୁ ମନସାସ୍ଥିତ ‘ସିଆଇଏ’ ଅଫିସ୍‌ ଆଣାଯିବା ବାଟରେ ଦୀପକ ଟିନୁ ଖସି ପଳାଇଛନ୍ତି।

Image Courtesy of Zee News

ପୁଲିସ ଅଧିକାରୀମାନେ କହିଛନ୍ତି, ଟିନୁ ଓ ଗ୍ୟାଙ୍ଗ୍‌ଷ୍ଟର୍‌ ସାମ୍ପଲ୍ ନେହେରା ବିଷ୍ଣୋଇଙ୍କର ଘନିଷ୍ଠ ସହଯୋଗୀ ଅଟନ୍ତି। ଟିନୁଙ୍କୁ ଧରିବା ପାଇଁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।

ମୂସେୱାଲାଙ୍କ ହତ୍ୟା ଅଭିଯୋଗରେ ଟିନୁଙ୍କୁ ଜେରା କରାଯାଇଥାଆନ୍ତା। ଏହି ହତ୍ୟାକାଣ୍ଡର ସୁଟର୍‌ ଏବଂ ପ୍ଲାନର୍‌ ଥିବା ୧୪ଜଣଙ୍କ ମଧ୍ୟରେ ଟିନୁ ଅନ୍ୟତମ।

ମୁସେୱାଲାଙ୍କ ହତ୍ୟା ଘଟଣାରେ ପଚରାଉଚରା ଲାଗି ଜୁଲାଇ ୪ ତାରିଖରେ ପଞ୍ଜାବ ପୁଲିସ ଟିନୁଙ୍କୁ ଦିଲ୍ଲୀ ତିହାର ଜେଲ୍‌ରୁ ‘ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌’ରେ ଆଣିଥିଲା।

ସୂଚନାଯୋଗ୍ୟ, ପଞ୍ଜାବ ‘ଆପ୍‌’ ସରକାର ମୂସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବା ପରେ ପରେ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର