୩୧ଟି ଭିଡିଓ ରେକର୍ଡ କରି ୪ଟି ଭାଇରାଲ କରି ଅଢ଼େଇ ଲକ୍ଷଟଙ୍କା କରିଥିଲେ ଦାବି

ନୂଆଦିଲ୍ଲୀ: ବାୟୁସେନ‌ାରେ ଭର୍ତ୍ତି ପାଇଁ ପ୍ରସ୍ତୁତ ହେଉଥିବା କାନପୁରର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ଥିବା ୧୧ଜଣଙ୍କ ମଧ୍ୟରୁ ପୁଲିସ ୬ଜଣଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୀଡ଼ିତଙ୍କ ପରିବାର ନ୍ୟାୟ ଦାବି କରିଛନ୍ତି।

ପୀଡ଼ିତ ନିଜ ସହିତ ଘଟିଥିବା ଏହି ଘଟଣାକୁ ପ୍ରଥମେ ତାଙ୍କ ଭାଉଜଙ୍କୁ ଜଣାଇ କହିଥିଲେ ‘ ଭାଉଜ ମୁଁ ଯାହା ତୁମକୁ କହିବି ଦୟାକରି କାହାକୁ କହିବ ନାହିଁ। ଏପ୍ରିଲ ୨୦ ତାରିଖରେ ମୋତେ ଅନଲାଇନ ଗେମ ଖେଳିବା ପାଇଁ ଉତ୍ସାହିତ କରିଥିଲେ। ଏମିତି କି ମୋତେ ଗେମ ଖେଳିବା ପାଇଁ ୨୦ହଜାର ଟଙ୍କା ଦେଇଥିଲେ। ଗେମରେ ଜିତିବା ପରେ ସେମାନେ ଜାଣିଶୁରି ପୁଣି ୨୦ହଜାର ଟଙ୍କାଙ୍କୁ ସେହି ଖେଳରେ ଲଗାଇ ଦେଇଥିଲେ। କିନ୍ତୁ ମୁଁ ଖେଳରେ ହାରି ଯାଇଥିଲି।

ଏହାପରେ ଅଭିଯୁକ୍ତମାନେ ୨୦ହଜାର ବଦଳରେ ୫୦ଟଙ୍କା ମୋତେ ଦାବି କରିଥିଲେ। ଏହି ଟଙ୍କା ଦେଇପାରିବି ନାହିଁ ବୋଲି ମନା କରିବାରୁ ସେମାନେ ମୋତେ ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଏକ କଠୋରିରେ ବନ୍ଦ କରି ନିର୍ମମ ଭାବେ ମାଡ଼ ମାରିବା ସହିତ ମୋ ସହିତ ଖରାପ କାମ କରିଥିଲେ।’

ଦିଅର ଠାରୁ ଏଭଳି ଲୋମଟାଙ୍କୁରା ଘଟଣା ଶୁଣିବା ପରେ ଭାଉଜ ଘରଲୋକଙ୍କୁ ଜଣାଇ ଦେଇଥିଲେ। ସଙ୍ଗେସଙ୍ଗେ ସମସ୍ତେ ମିଶି ନାଗପୁରରେ ଥିବା ପୁଅ ପାଖରେ ଯାଇ ପହଞ୍ଚିଥିଲେ। ସେଠାରେ ତାଙ୍କ ଅବସ୍ଥା ଦେଖି ପରିବାରଲୋକ ସ୍ତବ୍ଧ ‌ହୋଇଯାଇଥିଲେ।

ପରିବାରଲୋକ ଅଭିଯୋଗ କରିଛନ୍ତି କି, ‘ଆକ୍ରମଣକାରୀ ପୁଅକୁ ନିର୍ଯାତନା ଦେବା ସମୟର ୩୧ଟି ଭିଡିଓ କରିଥିଲେ ସେଥିମଧ୍ୟରୁ ୪ଟି ଭିଡିଓ ଭାଇରାଲ କରି ଦେଇଥିଲେ। ଏହି ଭାଇରାଲ ଭିଡିଓର ଲିଙ୍କ ପଠାଇ ସେମାନେ ଆମକୁ ଅଢ଼େଇଲକ୍ଷ ଟଙ୍କା ଦାବି ବି କରିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶ ପୁଲିସକୁ ଅନୁରୋଧ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେଇ ଆମକୁ ନ୍ୟାୟ ଦିଅନ୍ତୁ। ଆଗକୁ ଯେମିତି ଏମିତି କାମ କରିବାକୁ କେହି ସ୍ବପ୍ନରେ ବି ସାହାସ କରିବେ ନାହିଁ। ’

ସମ୍ବନ୍ଧିତ ଖବର