ହତ୍ୟାକାଣ୍ଡ ସିନ୍‌ ରି-କ୍ରିଏସନ୍‌ ପାଇଁ ରାଜଧାନୀରେ ଝରାଫୁଲ ମୃତ୍ୟୁ ଅଭିଯୁକ୍ତ ରାକେଶ

ଭୁବନେଶ୍ବର: ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ପୁଲିସ ରାଜଧାନୀ ଭୁବନେଶ୍ବରକୁ ଆଣିଛି। ହତ୍ୟାକାଣ୍ଡ ସିନ୍‌ ରି-କ୍ରିଏସନ୍‌ ପାଇଁ ଅଭିଯୁକ୍ତ ରାକେଶକୁ ପୁଲିସ୍‌ ଆଣିଥିବା ସୂଚନା ରହିଛି। ଶିବ ସାଇ ଗେଷ୍ଟ ହାଉସ୍‌ରେ ପୁଲିସ୍‌ ଅଭିଯୁକ୍ତ ରାକେଶର ସିନ୍‌ ରିକ୍ରିଏସନ୍ କରିଛି। ସିନ୍‌ ରି-କ୍ରିଏସନ୍‌ କରି ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଛି।

ଉଲ୍ଳେଖଯୋଗ୍ୟ, ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ପୁଲିସ ରିମାଣ୍ଡରେ ନେଇ ଗତକାଲି କୁଆଖିଆ ଥାନାରେ ମାରାଥନ ଜେରା କରିଥିଲା। ଝରାଫୁଲର ବାପାଙ୍କୁ ଆଣି ରାକେଶକୁ ସାମ୍ନାରେ ବସାଇ ଜେରା ମଧ୍ୟ କରିଥିଲା ପୁଲିସ। ଏହାପରେ ଝରାଫୁଲର ଶବ ପଡ଼ିଥିବା ସ୍ଥାନକୁ ରାକେଶକୁ ନେଇ ‌ପୁଲିସ ଅନୁସନ୍ଧାନ କରିଥିଲା। ମାତ୍ର ପୁଲିସ ରାକେଶକୁ ଗାଡ଼ିରୁ ଓହ୍ଲାଇବାକୁ ଅନୁମତି ଦେଇ ନଥିଲା। ଗାଡ଼ି ଭିତରୁ ରାକେଶ କେଉଁଠାରେ ଶବ ଫୋପାଡ଼ି ଥିଲା ତାହା ଇଶାରାରେ ଦେଖାଇଥିଲା।

ଅଭିଯୁକ୍ତ ରାକେଶକୁ କୁଆଖିଆ ପୁଲିସ ଗତକାଲି ସକାଳ ପ୍ରାୟ ୬ଟା ୩୦ରେ ଯାଜପୁର ସବ୍‌ଜେଲ୍‌ରୁ ରିମାଣ୍ଡରେ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ସେଠାରୁ ତା’କୁ ସିଧା କୁଆଖିଆ ଥାନାକୁ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇଥିଲା। ଦୀର୍ଘ ସମୟ ଧରି ଜେରା ପରେ ଦିନ ୧୨ଟା ୪୫ରେ ଝରାଫୁଲର ଶବ ପକାଇଥିବା ସ୍ଥାନକୁ ରାକେଶକୁ ନିଆଯାଇଥିଲା। ପୁଲିସ ଗାଡ଼ିରେ ବସିଥିବା ଅବସ୍ଥାରେ ରାକେଶକୁ ଦିଆଲଖଣ୍ତ ଗ୍ରାମ ମୁଣ୍ତ ପର୍ଯ୍ୟନ୍ତ ନିଆଯାଇଥିଲା। ଶବ ପଡ଼ିଥିବା ସ୍ଥାନରେ ଗାଡ଼ି ନ ରଖି ସେଠାରୁ ପ୍ରାୟ ୨ଶହ ମିଟର ଦୂରରେ ଏକ ସ୍ଥାନରେ ଗାଡ଼ି ବେଗ କମ୍ କରାଯାଇଥିଲା। ସେଠାରେ ରାକେଶ ଝରାଫୁଲର ମୋବାଇଲ୍ ଫୋପାଡ଼ିଥିବା କଥା ପୁଲିସକୁ କହିଥିଲା। ତେବେ ସେହି ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ମୋବାଇଲ ମିଳି ନ ଥିଲା। ପରେ ରାକେଶକୁ ଥାନାକୁ ଆଣି ପୁଣି ଜେରା କରିଥିଲା ପୁଲିସ।

ସମ୍ବନ୍ଧିତ ଖବର