ଅଭିନେତ୍ରୀଙ୍କ କ୍ୟାମେରା ଚୋରି କରି ଯୁବକ ଗିରଫ

ଭୁବନେଶ୍ୱର: ଜଣେ ସିରିଏଲ୍‌ ଅଭିନେତ୍ରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଜିକାଙ୍କ ଘରେ ପଶି କ୍ୟାମେରା ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ବାପୁଜୀନଗର ସ୍ଥିତ କେଦାରପଲ୍ଲୀ ଅଞ୍ଚଳର ବାଞ୍ଛା ନାୟକ ଓରଫ ବିଶ୍ୱଜିତ୍‌(୨୧)।

ପୁଲିସ ସୂଚନା ମୁତାବକ, ଗତ ନଭେମ୍ବର ୨୦ ତାରିଖ ରାତିରେ ପ୍ରଯୋଜିକା ଚିନ୍ମୟୀ ପ୍ରିୟଦର୍ଶନୀ ଫରେଷ୍ଟ ପାର୍କ ସ୍ଥିତ ଘରେ ଶୋଇଥିବା ବେଳେ ବିଶ୍ୱଜିତ୍‌ ବାଲ୍‌କୋନି ବାଟ ଦେଇ ଚିନ୍ମୟୀଙ୍କ ରୁମ୍‌କୁ ପଶିଯାଇଥିଲା। ଚିନ୍ମୟୀ ଶୋଇଥିବା ଦେଖି ବିଶ୍ୱଜିତ୍‌ ଚିନ୍ମୟୀଙ୍କ ୭ଲକ୍ଷ ଟଙ୍କାର ଏକ କ୍ୟାମେରା, ୩୦ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ୨ଟି ସୁନା ମୁଦି ନେଇଯାଇଥିଲା। ଚିନ୍ମୟୀ ସକାଳୁ ଉଠିବା ବେଳକୁ ତାଙ୍କ ଜିନିଷପତ୍ର ଏପଟ ସେପଟ୍‌ ହୋଇପଡ଼ିଥିବା ଦେଖିଥିଲେ। କେହି ଘରେ ପଶିଯାଇଥିବା ସନ୍ଦେହ କରି ଚିନ୍ମୟ ପ୍ରଥମେ ପର୍ସ ଦେଖିଥିଲେ। ହେଲେ ସେଥିରୁ କେହି ଟଙ୍କା ନେଇଯାଇଥିଲା। ସେହିପରି ଖୋଜାଖୋଜି କରିବାରୁ ତାଙ୍କ କ୍ୟାମେରା, ମୋବାଇଲ୍‌ ଫୋନ୍‌ ଓ ୨ଟି ମୁଦି ପାଇନଥିଲେ। ଏନେଇ ଚିନ୍ମୟୀ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିବା ସହ ଘରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ତେବେ କେହି ଜଣେ ଯୁବକ ନାଲି ରଙ୍ଗର ସାର୍ଟ ପିନ୍ଧି ବାଲ୍‌କୋନି ପଟେ ଆସି ଘରୁ ଜିନିଷପତ୍ର ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାରର ତଦନ୍ତ ଜାରି ରଖିଥିଲା। ଚିନ୍ମୟୀଙ୍କ ମୋବାଲ୍‌ ଟ୍ରାକିଂ କରି ପୁଲିସ ବିଶ୍ୱଜିତ୍‌ର ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ରାତିରେ ବିଶ୍ୱଜିତ୍‌ କେଦାରପଲ୍ଲୀରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ସୋମବାର ବିଳମ୍ବିତ ରାତିରେ ପୁଲିିସର ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ାଉ କରି ବିଶ୍ୱଜିତ୍‌କୁ ଗିରଫ କରିବା ସହ କ୍ୟାମେରା ଜବତ କରିିଥିଲା। ଆଜି ପୁଲିସ ଚିନ୍ମୟୀଙ୍କୁ କ୍ୟାମେରା ହସ୍ତାନ୍ତର କରିବା ସହ ବିଶ୍ୱଜିତ୍‌କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର