ନୂଆଦିଲ୍ଲୀ: ପାର୍କିଂକୁ ନେଇ ବଲିଉଡ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇକୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ଦିଲ୍ଲୀର ନିଜାମୁଦ୍ଦିନରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ମୃତକଙ୍କ ନାମ ଆସିଫ୍ କୁରେଶୀ। ଘର ପାଖରେ ଥିବା ପାର୍କିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏଭଳି ମୋଡ଼ ନେବ ବୋଲି କାହାକୁ ଜଣାନଥିଲା।  ଜଣେ ବ୍ୟକ୍ତି ଆସିଫ୍‌ଙ୍କ ଘର ବାହାରେ ତାଙ୍କ ସ୍କୁଟି ରଖିଥିଲେ। ଆସିଫ୍ ତାଙ୍କୁ ସ୍କୁଟି ହଟାଇବାକୁ କହିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ମାମଲା ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଥିଲା।

Advertisment

ଆସିଫ୍ କୁରେଶୀଙ୍କ ଭାଇ ଜାଭେଦ କହିଛନ୍ତି ଯେ, 'ମୋ ଭାଉଜ ରାତି ପ୍ରାୟ ୧୦.୩୦ରେ ମୋତେ ଫୋନ୍ କରିଥିଲେ। ସେ ମୋତେ କହିଥିଲେ ଯେ, ତୁମ ଭାଇକୁ ବହୁତ ମାଡ଼ ମରାଯାଇଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହା ପରେ, ମୁଁ ଦୋକାନ ଛାଡ଼ି ଘରେ ପହଞ୍ଚିଥିଲି। ମୋତେ ମଧ୍ୟ ଧାରୁଆ ଅସ୍ତ୍ର‌ରେ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ପାଖରେ ଥିବା ପଡୋଶୀ ୨ଅଭିଯୁକ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ଅଟକି ନଥି‌ଲେ। କିଛି ସମୟ ପରେ ବହୁ କଷ୍ଟରେ ଆମେ ଭାଇକୁ ଡାକ୍ତରଖାନା ନେବାରେ ସଫଳ ହୋଇଥିଲୁ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାର୍କିଂକୁ ନେଇ ଝଗଡା ଆରମ୍ଭ ହେବା ପରେ କଥା ହତ୍ୟା ପର୍ଯ୍ୟନ୍ତ ଯାଇଥିଲା। ଏହା ପୂର୍ବରୁ ମୋ ଭାଇ ସହିତ ସେମାନେ ଦୁଇଥର ଝଗଡା କରିଥିଲେ। କିନ୍ତୁ ପୂର୍ବରୁ ପୁଲିସରେ କୌଣସି ଅଭିଯୋଗ କରାଯାଇ ନଥିଲା। ହତ୍ୟା କରିଥିବା ବ୍ୟକ୍ତିଙ୍କ ଘର ପାଖରେ ରହେ।'

ପୁଲିସର କହିବା ମୁତାବକ, ଅଭିଯୁକ୍ତଙ୍କ ନାମ ଗୌତମ ଏବଂ ଉଜ୍ଜ୍ୱଳ। ଉଭୟେ ୨ଭାଇ। ଉଜ୍ଜ୍ୱଳ ପ୍ରଥମେ ଆସିଫ୍ କୁରେଶୀଙ୍କୁ ଆକ୍ରମଣ କରିଥିଲେ। ଗୌତମ ୧୮ ବର୍ଷ ବୟସର ହୋଇଥିବା ବେଳେ ଉଜ୍ଜ୍ୱଳ ୧୯ ବର୍ଷ ବୟସର।