ହାଇଦ୍ରାବାଦ୍: ତେଲେଙ୍ଗାନାର ହାଇଦ୍ରାବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଓକିଲ ଜଣେ ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ଚିଲକାଲଗୁଡ଼ା ପୁଲିସ୍ରେ ଏ ନେଇ ଏକ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ସେ ତାଙ୍କ ଇଣ୍ଟର୍ଣ୍ଣସିପ୍ ସମୟରେ ଅଭିଯୁକ୍ତ ଓକିଲଙ୍କୁ ହାଇଦ୍ରାବାଦ୍ ସିଟି ସିଭିଲ୍ କୋଟରେ ଭେଟିଥିଲେ। ଅଭିଯୁକ୍ତ ରାମା ରାଓ ଛାତ୍ରୀ ଜଣଙ୍କୁ ତାଙ୍କ ଭିଜିଟିଂ କାର୍ଡ ଦେଇ ପରବର୍ତ୍ତୀ ସମୟରେ ଦେଖା କରିବାକୁ କହିଥିଲେ। ଏପ୍ରିଲ୍ ୨୧ ତାରିଖରେ ଓକିଲ ରାମରାଓ ପୀଡ଼ିତାଙ୍କୁ ତାଙ୍କ ବାସଭବନରେ ଭେଟିବାକୁ କହିଥିଲେ।
ପୀଡ଼ିତା ଛାତ୍ରୀ ଅଭିଯୋଗ ଆଣିଛନ୍ତି ଯେ ଅଭିଯୁକ୍ତ ଓକିଲ ତାଙ୍କ ବାସଭବନରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ। ଏପ୍ରିଲ୍ ୨୫ ତାରିଖ ଦିନ ଅଭିଯୁକ୍ତ ଓକିଲ ପୁଣି ଥରେ ତାଙ୍କୁ ଧମକ ଦେଇ ତାଙ୍କ ବାସଭବନକୁ ଡାକିଥିଲେ। ପୀଡ଼ିତା ଅଭିଯୋଗ ଆଣି କହିଛନ୍ତି ଯେ ଓକିଲଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଏହି କାମ କରିବାରେ ସାହାଯ୍ୟ କରୁଥିଲେ। ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତ ଓକିଲଙ୍କୁ ଗିରଫ କରି ନ୍ୟାୟିକ ହେପାଜତରେ ପଠାଇଛି।