ପରିଚୟ ଲୁଚାଇବା ପାଇଁ ଶ୍ରଦ୍ଧାଙ୍କ ମୁଣ୍ଡ କାଟିବା ପରେ ମୁହଁକୁ ଜାଳି ଦେଇଥିଲା ଅଫତାବ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଏବେ ଆଉ ଏକ ଅପରାଧ ପାଇଁ ଚର୍ଚ୍ଚାରେ ରହିଛି। ପୂର୍ବରୁ ସାରା ବିଶ୍ବରେ ଦିଲ୍ଲୀରେ ଘଟିଥିବା ଗଣଦୁଷ୍କର୍ମର ଆଲୋଚନା ହୋଇଥିବା ବେଳେ ଏବେ ଜଣେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଆଲୋଚନାର ବିଷୟବସ୍ତୁ ପାଲଟିଛି। ୩ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଜଣେ ପ୍ରେମିକ କିଭଳି ଏତେ ନୃଶଂସ ହୋଇପାରେ ବୋଲି ଲୋକେ ଚିନ୍ତା କରୁଛନ୍ତି। ଦିଲ୍ଲୀରେ ରହୁଥିବା ପ୍ରେମୀଯୁଗଳ ଶ୍ରଦ୍ଧା-ଅଫତାବଙ୍କ ପ୍ରେମ-ଧୋକା-ହତ୍ୟାର କାହାଣୀ ଏ‌ବେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସକୁ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ଦେଉଛି ଅଫତାବ। ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ଖଣ୍ଡ କରିବା ପରେ ଅଫତାବ ଆଉ ଏକ ଜଘନ୍ୟ କାମ କରିଥିବା ସ୍ବୀକାର କରିଛି। ଶ୍ରଦ୍ଧାଙ୍କ ପରିଚୟ ଲୁଚାଇବା ପାଇଁ ଅଫତାବ ତାଙ୍କ ମୁଣ୍ଡ କାଟିବା ପରେ ମୁହଁକୁ ଜାଳି ଦେଇଥିବା କହିଛି। ଏହି ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ଜଣେ ମଣିଷ କେତେ ନୃଶଂସ ହୋଇପାରେ ତାହା ଭାବି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତେବେ ପ୍ରଥମେ ଅଫତାବକୁ ୫ଦିନିଆ କଷ୍ଟଡିକୁ ପଠାଯାଇଥିବା ବେଳେ ଆଜି ପୁଣି ଥରେ କୋର୍ଟ ଅଫତାବର କଷ୍ଟଡି ଅବଧିକୁ ୫ଦିନ ବଢ଼ାଇ ଦେଇଛନ୍ତି। ଏହା ସହ ମିଛଧରା ପରୀକ୍ଷା କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ। ଏହି ପରୀକ୍ଷା ପରେ ଅଫତାବ କେତେ ମିଛ କହୁଛି ଆଉ କେତେ ସତ , ତାହା ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର