୩ ବର୍ଷ ପରେ ଅଭିଯୁକ୍ତ ଗାଜିଆବାଦରୁ ଗିରଫ

ପୁରୀ ଜାମିନଦାର ପ୍ୟାଲେସ୍‌ ହତ୍ୟା ଘଟଣା

ଭୁବନେଶ୍ୱର: ବହୁ ଚର୍ଚିତ ପୁରୀ ଜାମିନଦାର୍‌ ପ୍ୟାଲେସ୍‌ ହତ୍ୟାକଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅମିତ ଅଗ୍ରଓ୍ଵାଲକୁ ସିବିଆଇ ଆଜି ଗାଜିଆବାଦ୍‌ରୁ ଗିରଫ କରିଛି। ଦୀର୍ଘ ୩ ବର୍ଷ ଧରି ସେ ଫେରାର ଥିଲା। ଆଜି ତାକୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ୨୦୧୩ ମସିହା ଡିସେମ୍ବର ୯ ତାରିଖରେ ପୁରୀ ସମୁଦ୍ରକୂଳ ଥାନା ଅଧୀନ ଜାମିନ୍‌ଦାର ପ୍ୟାଲେସ୍‌ ମଧ୍ୟରୁ ଜଣେ ମହିଳା ଅଙ୍କିତା ବନଶଲ୍‌ ଓ ତାଙ୍କ ୭ ବର୍ଷର ଝିଅ ବାଣୀ, ୪ ବର୍ଷର ପୁଅ ଦିବ୍ୟାଂଶୁଙ୍କ ମୃତଦେହ ଠାବ କରାଯାଇଥିଲା। ଏ ନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ହୋଟେଲ କର୍ତୃପକ୍ଷଙ୍କ ସୂଚନା ମୁତାବକ, ଏକ ସପ୍ତାହ ପାଇଁ ଅମିତ ୧୫ ହଜାର ଟଙ୍କା ଦେଇ ହୋଟେଲର ରୁମ୍‌ ବୁକ କରିଥିଲେ। ୩ ଦିନ ରହିବା ପରେ ହଠାତ ଅମିତ ଗାଏବ ହୋଇ ଯାଇଥିଲେ। ପରବର୍ତୀ ସମୟରେ ଅମିତ ରହୁଥିବା ରୁମ୍‌ ଭିତରୁ ତାଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ମୃତଦେହ ଠାବ କରାଯାଇଥିଲା। ଏ ନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ ପୁଲିସ ହତ୍ୟାକାରୀ ଅମିତଙ୍କୁ ଠାବ ନ କରିବାରୁ ଏ ନେଇ ଅଙ୍କିତାଙ୍କ ପରିବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୧୫ ମସିହାରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ଘଟଣାର ଖୋତଳାଡ଼ ଆରମ୍ଭ ହୋଇଥିଲା। ସିବିଆଇ ଆଜି ଦୀର୍ଘ ୩ ବର୍ଷ ପରେ ଅମିତଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ କରିଛି। ତାଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର