ଅହମଦାବାଦ: ଗୁଜରାଟ ପ୍ରଦେଶର ଖେଦା ଅଞ୍ଚଳର ଜଣେ ୧୬ ବର୍ଷୀୟ ବାଳିକା ଓ ଅହମଦାବାଦର ଜଣେ ୧୭ ବର୍ଷିୟ ବାଳକ ସାବରମତୀ ନଈକୁ ଡେଇଁ ପ୍ରାଣ ହାରିଥିବା କଥା ପୁଲିସ କହିଛି।

Advertisment

ରବିବାର ଦିନ ଘଟିଥିବା ଏହି ଘଟଣାର ତଦନ୍ତ କରୁଥିବା ସାବରମତୀ ରିଭର୍‌ଫ୍ରଣ୍ଟ୍‌ (ପଶ୍ଚିମ) ପୁଲିସ କହିଛି, ଉଭୟ ୧୦ମ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବାଜନିତ ହତାଶା ଓ ସମ୍ପର୍କରେ ଉପୁଜିଥିବା ତିକ୍ତତା ଯୋଗୁଁ ସେମାନେ ଆତ୍ମହତ୍ୟା କରିଛନ୍ତି।

ପୁଲିସ କହିବା ଅନୁସାରେ, ଝିଅର ଘର ଖେଦା ଅନ୍ତର୍ଗତ ଗୋଟାଏ ଗ୍ରାମରେ ହୋଇଥିବା ବ‌େଳେ ପୁଅର ଘର ଅହମଦାବାଦ ଅଞ୍ଚଳର ଦସକ୍ରୋଇ ତାଲୁକର କ‌ୌଣସି ଏକ ଗାଁ’ରେ।

ସାବରମତୀ ରିଭର୍‌ଫ୍ରଣ୍ଟ୍‌ର (ପଶ୍ଚିମ) ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜେତାଲ୍‌ପୁରରେ ଦୁହେଁ ଏକା ସ୍କୁଲ୍‌ରେ ପଢୁଥିଲେ ଓ ଏକା ଟିଉସନ୍‌ କ୍ଲାସ୍‌କୁ ଯାଉଥିଲେ। ୧୦ମ ବୋର୍ଡ ପରୀକ୍ଷାରେ ଦୁହେଁ ସବୁ ବିଷୟରେ ଅକୃତକାର୍ଯ୍ୟ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ପାଠ ପଢ଼ା ବନ୍ଦ କରି ସ୍କୁଲ୍‌ରୁ ନେଇ ଆସିବେ ବୋଲି ଝିଅକୁ ତା’ ପରିବାର ଲୋକେ ମଧ୍ୟ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଝିଅଟି ଅନ୍ୟ ଜଣେ ପୁଅ ସହିତ ସମ୍ପର୍କ ସ୍ଥାପନ କରି ତାକୁ ଛାଡ଼ି ଚାଲିଯିବ ବୋଲି ମଧ୍ୟ ଏ ପୁଅଟିର ସନ୍ଦେହ ହୋଇଥିଲା। ସେ କଥାକୁ ନେଇ ନିକଟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଶନିବାର ଦିନ ଦୁହେଁ ଝଗଡ଼ା କରିବା ପରେ ରବିବାର ଦିନ ସାବରମତୀ ରିଭର୍‌ଫ୍ରଣ୍ଟ୍‌ରେ ଭେଟାଭେଟି ହେବେ ବୋଲି ଠିକ୍‌ କରିଥିଲେ। ସାଙ୍ଗମାନଙ୍କୁ ଦେଖା କରିବାକୁ ଯାଉଛି କହି ପୁଅ ଘରୁ ବାଇକ୍‌ ଚଢ଼ି ବାହାରିଥି‌ଲା। ସେହିପରି, ଗୌରୀ-ବ୍ରତ ଉପବାସରେ ଜଣେ ବାନ୍ଧବୀଙ୍କୁ ଭେଟିବାକୁ ଯାଉଛି ବୋଲି କହିବାରୁ ବାପା ମଧ୍ୟ ସେ ଝିଅକୁ ଛାଡ଼ିଦେଇଥିଲେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ରବିବାର ଦିନ ଦୁହେଁ ସର୍‌ଦାର୍‌ ପୋଲ ନିକଟ ରିଭର୍‌ଫ୍ରଣ୍ଟ୍‌ରେ ଥିବା ପାଦଚଲା ରାସ୍ତାରେ ଭେଟାଭେଟି ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କିଛି ସମୟ ପାଇଁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ଝିଅର ‘ଦୁପଟା’ରେ ଦୁହେଁ ଦୁହିଁଙ୍କର ହାତକୁ ଏକତ୍ର ବାନ୍ଧି ନଈକୁ ଡେଇଁ ପଡ଼ିଲେ। ସେଠାରେ ଉପସ୍ଥିତ ଜଣେ ସୁରକ୍ଷାକର୍ମୀ ସେମାନଙ୍କୁ ଉଦ୍ଧାର କରିବାକୁ ଗୋଟାଏ ବାଡ଼ି ବଢ଼ାଇବା ସହିତ ଖଣ୍ଡେ ଦଉଡ଼ି ଫିଙ୍ଗିଥିଲେ, କିନ୍ତୁ ଦୁହେଁ ତାହା ଧରିଲେ ନାହିଁ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ପରେ ଅହମଦାବାଦ ଅଗ୍ନି ଓ ଜରୁରୀକାଳୀନ ସେବାର ବୁଡ଼ାଳିମାନେ ନଈରୁ ସେମାନଙ୍କ ଶବ ଉଦ୍ଧାର କରିଥିଲେ। ପୁଲିସ ଏହି ଘଟଣାରେ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି।