ଝିଅର ଅନ୍ତିମ ସଂସ୍କାର କରିବା ସହ ପ୍ରେମିକକୁ ହତ୍ୟାକାରୀ ସଜାଇ ଥିଲେ ପରିବାର ଲୋକେ, ଦୁଇ ଦିନ ପରେ ପ୍ରେମିକ ସହ ଘରକୁ ଫେରିଲା ଝିଅ

ପଟିଆଲା : ପଞ୍ଜାବର ପଟିଆଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଅନ୍ତିମ ସଂସ୍କାରର ଦୁଇ ଦିନ ପରେ ମୃତ ମହିଳା ଫେରିବା ଖବର ଏବେ ଉଭୟ ପୁଲିସ ଏବଂ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ପରିବାର ଲୋକେ ରାସ୍ତା କଡ଼ରୁ ମିଳିଥିବା ମୃତଦେହକୁ ନିଜ ଝିଅ ବୋଲି ଚିହ୍ନଟ କରିବା ପରେ ପୁଲିସ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେଇଥିଲା । କିନ୍ତୁ ଏବେ ମହିଳା ଫେରିବା ପରେ ଭୁଲବଶତଃ କାହାର ଅନ୍ତିମ ସଂସ୍କାର କରାଯାଇଛି,ତାହାକୁ ନେଇ ଚିନ୍ତାରେ ପୁଲିସ ।

ସୂଚନା ମୁତାବକ,ନୈନା ରାଣୀ କିଛି ଦିନ ପୂର୍ବରୁ ନିଜ ପ୍ରେମିକଙ୍କ ସହ ଘରୁ ଚାଲି ଯାଇଥିଲେ । ଯାହା ପରେ ଘର ଲୋକ ଝିଅ ନିଖୋଜ ହେବାର ଅଭିଯୋଗ ପୁଲିସରେ କରିଥିଲେ । କିଛି ଦିନ ପରେ ରାସ୍ତା କଡ଼ରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ପୁଲିସ ନୈନାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡ଼କାଇଥିଲେ । ଶବଗୃହରେ ପହଞ୍ଚି ସେମାନେ ମୃତଦେହଟି ନୈନାଙ୍କର ବୋଲି କହି ଅନ୍ତିମ ସଂସ୍କାର କରିବା ସହ ନୈନାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ।

pakistantoday.com.pk

ପୁଲିସ ନୈନାଙ୍କ ପ୍ରେମିକକୁ ଖୋଜିବାରେ ଲାଗି ପଡ଼ିଥିବା ବେଳେ ଅନ୍ତିମ ସଂସ୍କାରର ଦୁଇ ଦିନ ପରେ ନୈନା ନିଜ ପ୍ରେମିକକୁ ନେଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ଅନ୍ତିମ ସଂସ୍କାର କରାଯାଇଥିବା ମହିଳା ନୈନା ହୋଇ ନ ଥିବା ଜାଣି ଏବେ ଚିନ୍ତାରେ ପଡ଼ିଛି ପୁଲିସ । ଅନ୍ତିମ ସଂସ୍କାର କରାଯାଇଥିବା ମହିଳା କିଏ ଥିଲେ? ସେ ପ୍ରଶ୍ନକୁ ନେଇ ଏବେ ପୁଣି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର