ଇଟାୱା: ଉତ୍ତରପ୍ରଦେଶର ଇଟାୱା ରେଳଷ୍ଟେସନ ବାହାରେ ଥିବା ଏକ ହୋଟେଲରୁ ଜଣେ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଇଞ୍ଜିନିୟରଙ୍କ ନାମ ମୋହିତ ଯାଦବ। ମୋହିତ ଜୀବନ ହାରିବା ପୂର୍ବରୁ ଏକ ଭିଡିଓ କରି ତାଙ୍କ ସାଙ୍ଗମାନଙ୍କ ପାଖକୁ ପଠାଇଥିଲେ। ଉକ୍ତ ଭିଡ଼ିଓରେ ସେ ସ୍ତ୍ରୀ ବିରୋଧରେ ଅଭିଯାଗ କରିଛନ୍ତି। 
 

Advertisment

ସୂଚନା ଅନୁଯାୟୀ, ମୋହିତ ସାତ ବର୍ଷର ପ୍ରେମ ସମ୍ପର୍କ ପରେ ୨୭ ନଭେମ୍ବର ୨୦୨୩ରେ ପ୍ରିୟାଙ୍କୁ ବିବାହ କରିଥିଲେ। ସାଙ୍ଗମାନଙ୍କ ହ୍ବାଟସଆପରେ ମୋହିତ ପଠାଇଥିବା ଭିଡିଓରେ  ଅଭିଯୋଗ କରି କହିଛନ୍ତି, ‘ମୋର ସ୍ତ୍ରୀ ପ୍ରିୟା ଯାଦବ ଦୁଇ ମାସ ପୂର୍ବରୁ ବିହାରର ସମସ୍ତିପୁରରେ ଶିକ୍ଷୟିତ୍ରୀ ଭାବରେ ଚାକିରି ପାଇଥିଲେ। ପ୍ରିୟା ଗର୍ଭବତୀ ଥିଲେ। ଶାଶୁଙ୍କ କଥାରେ ‌ସେ ଗର୍ଭନଷ୍ଟ କରି ଦେଇଥିଲେ।

ଏମିତି କି ସମସ୍ତ ସମ୍ପତ୍ତିକୁ ସେ ନିଜ ନାମରେ କରିବା ପାଇଁ ମୋ ଉପରେ ଚାପ ପକାଉଥିଲେ। ଯଦି ମୁଁ ‌ସେପରି ନକରେ ତେବେ ପ୍ରିୟାଙ୍କ ପରିବାର ଯୌତୁକ ନିର୍ଯାତନା ଦେଉଥିବା ନେଇ ମିଥ୍ୟା ଅଭିଯୋଗରେ ମୋତେ ଫସାଇ ଦେବେ ବୋଲି  ଧମକ ଦେଇ ଆସୁଥିଲେ।

ବାପା.... ମା’... ‌ମୁଁ ଜାଣିଛି ‌ମୋର ଏ ନିଷ୍ପତ୍ତି ତୁମମାନଙ୍କୁ କଷ୍ଟ ଦେବେ। କିନ୍ତୁ କ’ଣ କରିବି ସ୍ତ୍ରୀ ନିର୍ଯାତନା ଆଉ ସହି ପାରିଲି ନାହିଁ। ଚାକିରି ପାଇବା ପରେ ତାର ସ୍ବଭାବ ବଦଳି ଗଲା। ମୋତେ କ୍ଷମା କରିଦେବ। ଯଦି ମୋତେ ନ୍ୟାୟ ନ ମିଳେ, ତେବେ ମୋ ପାଉଁଶକୁ ଏକ ନାଳରେ ଭସାଇ ଦେବ।’

ଖବର ପାଇ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ମୋହିତଙ୍କ ମୋବାଇଲ୍, ଜୀବନ ହାରିବା ପୂର୍ବର ଭିଡିଓ ଏବଂ ସୁଇସାଇଟ ନୋଟକୁ ପୁଲିସ ଜବତ କରିଛି। ପରିବାର ସଦସ୍ୟଙ୍କ ଅଭିଯୋଗ ଏବଂ ଭିଡିଓ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।