ପୁଅକୁ ବଞ୍ଚାଇବା ପାଇଁ ଝିଅକୁ ମାରିଦେଲା ମା’, କାରଣ ଶୁଣି ମୁଣ୍ଡରେ ହାତ ଦେଲା ପୁଲିସ

କୋଟା(ରାଜସ୍ଥାନ): ପୁଅକୁ ବଞ୍ଚାଇବା ପାଇଁ ଝିଅକୁ ମାରିଦେଲା ମା’। ରାଜସ୍ଥାନର କୋଟା ଜିଲ୍ଲାର ଅନ୍ତା ଅଞ୍ଚଳରେ ଜଣେ ମହିଳା ଏଭଳି କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ମା’ ତାଙ୍କ ୧୨ବର୍ଷର ଝିଅର ଗଳା କାଟି ତାକୁ ହତ୍ୟା କରିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପଚରାଉଚରା ବେଳେ ଅଭିଯୁକ୍ତ ମହିଳା ରେଖା ହାଡା ପୁଲିସକୁ କହିଛନ୍ତି ଯେ, ସେ ଏକ ସ୍ୱପ୍ନ ଦେଖିଥିଲେ। ସ୍ବପ୍ନରେ ବଡ଼ ପୁଅକୁ ବଞ୍ଚାଇବା ପାଇଁ ଜଣକର ବଳି ଦେବାକୁ ହେବ ବୋଲି ଦେଖିଥିଲେ। ଏହି ସ୍ବପ୍ନ ଦେଖି ସେ ଏଭଳି ଅପରାଧ କରିଥିବା ପୁଲିସକୁ କହିଛନ୍ତି। ମହିଳାଙ୍କଠାରୁ ଏଭଳି ଅଜବ କାରଣ ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଛି।

ଡିଏସପି ତରୁଣ କାନ୍ତ ସୋମାନି କହିଛନ୍ତି ଯେ, ମହିଳାଜଣଙ୍କ ନିଜ ଝିଅକୁ ହତ୍ୟା କରିଥିବା ନେଇ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ପୁଲିସ ହତ୍ୟାକାରୀକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରି ପୁଲିସ ଅଭିଯୁକ୍ତ ମହିଳା ରେଖାଙ୍କୁ ପଚରାଉଚରା କଲା ପରେ ପୂରା ଘଟଣା ସ୍ପଷ୍ଟ ହୋଇଥିଲା।

ପୁଲିସ କହିଛି ଯେ, ରେଖା ତାଙ୍କ ସ୍ୱାମୀ ଏବଂ ତିନି ପିଲାଙ୍କ ସହ ରହୁଥିଲେ। ଅଭିଯୁକ୍ତ ମହିଳାଙ୍କ ବଡ଼ ପୁଅ ନିକେନ୍ଦ୍ରଙ୍କ ହୃଦୟରେ ସମସ୍ୟା ଥିବା ସାମ୍ନାକୁ ଆସିବା ପରେ ପୁରା ପରିବାର ଭାଙ୍ଗିପଡ଼ିଥିଲା। ରେଖା ପୁଅର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ। ଏଭଳି ପରିସ୍ଥିତିରେ ସେ ସ୍ୱପ୍ନ ଦେଖିଥିଲେ ଯେ, ଯଦି ସେ ପରିବାରର ଜଣେ ସଦସ୍ୟଙ୍କ ବଳି ଦିଅନ୍ତି, ତେବେ ତାଙ୍କ ପୁଅ ବଞ୍ଚିଯିବ।

ସମ୍ବନ୍ଧିତ ଖବର