କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ମୃତ ସ୍ନାତକୋତ୍ତର ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲ ପରିସର ଭିତରେ ଜଣେ ଡାକ୍ତରାଣୀଙ୍କୁ ହତ୍ୟା କରାଯିବା ପରେ କଲେଜରେ ଡାକ୍ତରମାନେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି। ଶନିବାର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏମଧ୍ୟରେ ଅଭିଯୁକ୍ତର କେଉଁ ଭୁଲ ତାକୁ ଧରାପକାଇଲା ତାହା ସାମ୍ନାକୁ ଆସିଛି। ଅଭିଯୁକ୍ତଜଣକ ପେସାରେ ଜଣେ ସାମଜିକ ସ୍ବେଚ୍ଛାସେବୀ ବୋଲି ଜଣାପଡ଼ିଛି।

Advertisment

ଅଭିଯୁକ୍ତକୁ ଗିରଫ କରିବା ପରେ ପୁଲିସ କହିଛି ‌ଯେ, ଅଭିଯୁକ୍ତ ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲକୁ ଯିବା ଆସିବା କରେ। ହସ୍ପିଟାଲ ବିଷୟରେ ସେ ବହୁତ ଭଲ ଭାବରେ ଜାଣିଥିବା ବେଳେ ଗୁରୁବାର ପୀଡ଼ିତାଙ୍କ ସହ ହସ୍ପିଟାଲର ସେମିନାର ହଲରେ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲା। ହତ୍ୟା ପରେ ସେ ନିଜ ରହୁଥିବା ଘରକୁ ଯାଇ ଶୋଇପଡ଼ିଥିଲା। ଶୁକ୍ରବାର ସକାଳେ ବିଳମ୍ବରେ ଉଠିବା ପରେ ସେ ନିଜ ରକ୍ତଭିଜା ସାର୍ଟକୁ ଧୋଇବା ସହ ଏଭଳି କରି ସେ ଆଉ ଧରାପଡ଼ିବେ ନାହିଁ ବୋଲି ଭାବିଥିଲା। ହେଲେ ସେ ପିନ୍ଧିଥିବା ଜୋତାରେ ଲାଗିଥିବା ରକ୍ତଛିଟା ତାକୁ ଧରାପକାଇ ଦେଇଥିଲା। ଏବେ ତାକୁ ଗିରଫ କରାଯାଇ ଏହି ଘଟଣା ଆଉ କିଏ ସାମିଲ ଥିଲେ କି ନାହିଁ ବୋଲି ପଚରାଉଚରା କରାଯାଉଛି।