୫ଥର ଝିଅ ଦେଖିବାକୁ ଯାଇ ବିବାହ କରିବାକୁ ମନା କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ଜଣେ ଯୁବକ ୫ଥର ଝିଅ ଦେଖିବା ପରେ ବିବାହ କରିବାକୁ ମନା କରି ଦେଇଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭାଇରାଲ ହୋଇଥିବା ଏହି ଭିଡିଓଟି ମହାରାଷ୍ଟ୍ରର ବୁଲଢ଼ାପା ଅଞ୍ଚଳର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଅକୋଲା ଜିଲ୍ଲାର ତେଲହରା ତାଲୁକା ଖାପରଖେଡ଼ରେ ରହୁଥିବା ଯୁବକଙ୍କ ବୁଲଢ଼ାପା ଜିଲ୍ଲାର ନନ୍ଦୁରା ତାଲୁକାର ଅଲମପୁର ଗାଁର ଯୁବତୀଙ୍କ ସହିତ ବିବାହ ପ୍ରସ୍ତାବ ପଡ଼ିଥିଲା। ତେଣୁ ସେ କନ୍ୟା ଦେଖିବା ପାଇଁ ଯାଇଥିଲେ।
ଯୁବକ ଜଣକ ଉକ୍ତ କନ୍ୟାଙ୍କୁ ଥରେ ନୁହେଁ, ବନ୍ଧୁ ପରିଜନ ଓ ସାଙ୍ଗମାନଙ୍କ ସହ ମିଶି ପାଞ୍ଚଥର ଦେଖିବାକୁ ଯାଇଥିଲେ। ତେବେ କନ୍ୟା ଘର ଲୋକ ଭାବିଥିଲେ ବୋଧ ହୁଏ ଯୁବକଙ୍କୁ ଝିଅ ପସନ୍ଦ ଆସି ଯାଇଛି ତେଣୁ ସେ ତାର ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ଦେଖାଇବାକୁ ଆଣୁଛି।

ଶେଷରେ କିନ୍ତୁ ଘଟଣା ଓଲଟାପାଲଟ ହୋଇଯାଇଥିଲା। ଯୁବକ ଜଣକ ପଞ୍ଚମ ଥର ଯେତେବେଳେ ଉକ୍ତ ଝିଅକୁ ଦେଖିବାକୁ ଆସିଥିଲେ ଝିଅର ଆଖି ଦୋଷ ଥିବା କହି ବିବାହ ଭାଙ୍ଗି ଦେଇଥିଲେ। ଏପଟେ ଯୁବକ ଜଣକ ୫ମ ଥର ଝିଅ ଦେଖିବାକୁ ଆସିବା ଜାଣିବା ପରେ ପରିବାରଲୋକ ବିବାହ ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ସାରି ଦେଇଥିଲେ।

କାରଣ ସେ ଭାବି ଥିଲେ ଯୁବକଙ୍କୁ ଝିଅ ପସନ୍ଦ ଆସିଛି, ‌‌ତେଣୁ ସେ ପଞ୍ଚମ ଥର ତାଙ୍କ ଝିଅଙ୍କୁ ଦେଖିବାକୁ ଆସୁଛନ୍ତି । ଏହାକୁ ନେଇ ଉଭୟ କନ୍ୟା ଓ ପୁଅ ଘର ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିଜ ଆୟତ୍ତକୁ ନେଇ ପୁଅଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର