ମନ୍ଦିର ପରେ ଟାର୍ଗେଟ୍‌ରେ ଦୋକାନ

ଗୋଟିଏ ରାତିରେ ୫ଟି ଦୋକାନରୁ ଚୋରି

ବାଲିଅନ୍ତା: ବାଳକାଟି ଅଞ୍ଚଳରେ ଥିବା ୩ଟି ପ୍ରମୁଖ ମନ୍ଦିର ଲୁଟପାଟ୍‌ କରିବା ପରେ ଏବେ ଲୁଟେରାମାନେ ବଜାରରେ ଥିବା ବିଭିନ୍ନ ଦୋକାନକୁ ଟାର୍ଗେଟ କରିଛନ୍ତି। ବାଳକାଟି ଫାଣ୍ଡି ପୁଲିସକୁ ଚ୍ୟାଲେଞ୍ଜ କରି ଗତକାଲି ବିଳମ୍ବିତ ରାତିରେ ଫାଣ୍ଡି ସମ୍ମୁଖରେ ଥିବା ୩ଟି ଦୋକାନର ସଟର କାଟି ୬୦ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଓ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି। ଏଥିସହିହ ସମାନ ଢଙ୍ଗରେ ବୁଦ୍ଧିପଡ଼ା ଓ ପୂରଣ ବଜାରରେ ଥିବା ଆଉ ଦୁଇଟି ଦୋକାନ ତାଲା ଭାଙ୍ଗି ୨୦ ହଜାର ଟଙ୍କା ସହିତ ଜିନିଷପତ୍ର ଚୋରି ହୋଇଛି। ଏ ସଂକ୍ରାନ୍ତରେ ଦୋକାନୀମାନେ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ଦୋକାନରୁ ଏସବୁ ଦାମୀ ସାମଗ୍ରୀ ବାଇକ୍‌ ଓ ଅଟୋରେ ନେଇ ଯାଇଥିବା ଦର୍ଶାଇଛନ୍ତି । ଅଭିଯୋଗ ପାଇଥିଲେ ହେଁ ପୁଲିସ ଚୋରଙ୍କୁ ନ ଧରି ଚୁପ୍‌ ବସିବା ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଭିଯୋଗ ଅନୁଯାୟୀ ବାଳକାଟି ବଜାରରେ ଫାଣ୍ଡି ନିକଟରେ ଥିବା ହୃଷୀକେଶ ସାହୁଙ୍କ ଭେରାଇଟି ଷ୍ଟୋର ଏବଂ ସାତକାବାଦ ଗ୍ରାମର କାମଦେବ ସ୍ୱାଇଁଙ୍କ ଭେରାଇଟି ଷ୍ଟୋରର କ୍ୟାସ ଡ୍ର’ ତାଲା ଭାଙ୍ଗି ୩୦ ହଜାର ଟଙ୍କା ଓ ଦାମୀ ଜିନିଷ ଲୁଟ୍‌ ହୋଇଛି । ସେହିପରି ସୁଦର୍ଶନ ସାହୁଙ୍କ ତେଜରାତି ଦୋକାନରୁ ଅନୁରୂପ ଭାବେ ୩୦ ହଜାର ଟଙ୍କା ଓ ସାମଗ୍ରୀ ଲୁଟି ନେଇଛନ୍ତି । ବୁଦ୍ଧିପଡ଼ା ବଜାରରେ ଅର୍ଜୁନ କୁମାର ସାହୁଙ୍କ ଇଲେକ୍ଟି୍ର ଦୋକାନରୁ ୪ ହଜାର ଟଙ୍କାର କଏନ ଲୁଟ ହୋଇଯାଇଛି । ନିକଟସ୍ଥ ପୂରଣ ବଜାରରେ ଉଗ୍ରେସନ ସାହୁଙ୍କ ସାର ଓ କୀଟନାଶକ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।
ସୂଚନାଯୋଗ୍ୟ ଯେ ଏହା ପୂର୍ବ ଦିନ ରାତିରେ ସ୍ଥାନୀୟ ମଦନମୋହନ ଦେବ ମନ୍ଦିର , ମା’ କାଳିଯାଇ ମନ୍ଦିର ଓ ତାରିଣୀ ମନ୍ଦିରରୁ ଲୁଟ ହୋଇଥିଲା । ପୁଲିସର ଦୁର୍ବଳ ପାଟ୍ରେଲିଂ ବ୍ୟବସ୍ଥା ଯୋଗୁ ଏ ଅଞ୍ଚଳରେ ଚୋରି ବଢ଼ିଥିବା ଲୋକେ ଅଭିଯୋଗ କରିଛନ୍ତି । ଦୁଇମାସ ତଳେ ଉକ୍ତ ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରୀ ପାଇକରାୟଙ୍କର ବଦଳି ହୋଇଯିବା ପରଠାରୁ ତାଙ୍କ ସ୍ଥାନରେ ଏଯାଏ ଅନ୍ୟ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଫାଣ୍ଡିରେ ଅଫିସର ନିଯୁକ୍ତି ନହେବା ଯୋଗୁ ଏଠାରେ ବାରମ୍ବାର ଚୋରି, ରାହାଜାନି, ଡକାୟତି ଘଟଣା ଘଟିବାରେ ଲାଗିଛି । ତୁରନ୍ତ ଫାଣ୍ଡିରେ ସ୍ଥାୟୀ ପୁଲିସ ଅଧିକାରୀ ନିଯୁକ୍ତି ଦିଗରେ ପୁଲିସ କମିସନର ଯୋଗେସ୍‌ ବାହାଦୁର ଖୁରାନିଆ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର