ନୂଆଦିଲ୍ଲୀ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ‘ଗଦ୍ଦର-୨’ ସିନେମା ଦେଖିବା ପରେ ଜଣେ ଯୁବକ ଖୁବ ଖୁସି ହୋଇ ସିନେମାର ପ୍ରଶଂସା କରିବା ସହିତ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ନାରା ଦେଇଥିଲେ। ଯୁବକଙ୍କୁ ଏଭଳି ନାରା ଦେଉଥିବା ଦେଖି ତାଙ୍କ ସାଙ୍ଗ ତାଙ୍କୁ ପିଟିପିଟି ଜୀବନ ନେଇ ଯାଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଏହି ଦୁଃଖଦ ଘଟଣା ଖୁର୍ସିପାରା ଥାନା ଅଞ୍ଚଳର ଆଇଟିଆଇ ପଡ଼ିଆରେ ଘଟିଥିବା ଜଣାପଡ଼ିଛି। ଗତଶନିବାର ଆଇଟିଆଇ ପଡ଼ିଆରେ ସନ୍ଧ୍ୟାରେ ଦୁଇଜଣ ଯୁବକ ମୋବାଇଲରେ ଅଭିନେତା ସନ୍ନି ଦେୱଲଙ୍କ ନୂଆ ସିନେମା ‘ଗଦ୍ଦର-୨’ ଦେଖୁଥିଲେ। ଏହି ସିନେମା ଚାଲିଥିବା ବେଳେ ମଲକିତ ସିଂହ ‘ଗଦ୍ଦର-୨’ ଦେଖି ଖୁସି ହୋଇ ହିନ୍ଦୁସ୍ତାନ ଜିନ୍ଦାବାଦ ବୋଲି ନାରା ଦେଇଥିଲେ। ମଲକିତଙ୍କୁ ଏଭଳି ନାରା ଦେଉଥିବା ଦେଖି ଭିନ୍ନ ସମ୍ପ୍ରଦାୟର ସାଙ୍ଗ ତାଙ୍କୁ ଗୋଇଠା ମାଡ଼ ମାରିବା ସହିତ କାଠ ଫାଳିଆରେ ପିଠିଥିଲେ।
ଏହି ଘଟଣା ସମ୍ପର୍କରେ ମଲକିତଙ୍କ ପରିବାର ଖବର ପାଇବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ଡାକ୍ତର ମଲକିତଙ୍କ ଅବସ୍ଥା ଦେଖି ରାୟପୁର ସ୍ଥାନାନ୍ତର କରି ଦେଇଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଲକିତଙ୍କ ମୃତ୍ୟୁ ହୋଇଯାଇଥିଲା। ମଲକିତ ପରିବାରଲୋକ ଅଭିଯୋଗ କରି କହିଛନ୍ତି କି, ପୁଅକୁ ହତ୍ୟା କରିଥିବା ଯୁବକଙ୍କ କଂଗ୍ରେସ ନେତାଙ୍କ ସହ ପରିଚୟ ଅଛି। ଏହାର ପ୍ରଭାବ ହେତୁ ସେ ଏଭଳି ହତ୍ୟାକାଣ୍ଡ ଘଟଇବାକୁ ସାହାସ କରିଥିଲେ। ପୁଅକୁ ତ ହରାଇ ଦେଲୁ ଦୟାକରି ଆମକୁ ନ୍ୟାୟ ଦିଅନ୍ତୁ ବୋଲି ପରିବାରଲୋକ ପୁଲିସରେ ଗୁହାରି କରିଛନ୍ତି।