ଟ୍ରଙ୍କ୍‌ ଭାଙ୍ଗି ୬୦ ହଜାର ଟଙ୍କା ଲୁଟ୍‌ ମାମଲା: ପୁଣି ବନ୍ଧା ହେଲା କୁଖ୍ୟାତ ସନିଆ

ଖଣ୍ଡଗିରି: ପୁଣି ଏକ ଚୋରି ମାମଲାରେ ଗିରଫ ହୋଇଛି ଜଟଣୀ ଥାନା ଯାଁଳା ଅଞ୍ଚଳର କୁଖ୍ୟାତ ବିଷ୍ଣୁପ୍ରସାଦ ସ୍ବାଇଁ ଓରଫ୍ ସନିଆ। ସୋମବାର ସକାଳୁ ସକାଳୁ ଯାଁଳାରୁ ଜଣେ ବ୍ୟକ୍ତିଙ୍କ ଘରେ ପଶି ଟ୍ରଙ୍କ୍‌ ଭାଙ୍ଗି ୬୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ମାମଲାରେ ଯାଁଳା ଫାଣ୍ଡି ପୁଲିସ ସନିଆ ଓ ତା’ର ସହଯୋଗୀ କାଳୁଚରଣ ପରିଡ଼ା ଓରଫ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ନଗଦ ୩୨ ହଜାର ଟଙ୍କା ଜବତ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ସୋମବାର ସକାଳ ପ୍ରାୟ ସାଢ଼େ ୭ଟାବେଳେ ସନାତନ ପ୍ରଧାନ ଘରେ ତାଲା ପକାଇ କାମକୁ ଚାଲି ଯାଇଥିଲେ। ପୂର୍ବରୁ ନୟାଗଡ଼ ଯାଇଥିବା ସନାତନଙ୍କ ସ୍ତ୍ରୀ ଓ ପୁଅ ପୂର୍ବାହ୍ନ ପ୍ରାୟ ୧୦ଟାବେଳକୁ ଘରକୁ ଫେରି କବାଟ ତାଲା ଭଙ୍ଗା ହୋଇ ତଳେ ପଡ଼ିଥିବାବେଳେ ଭିତରେ ଟ୍ରଙ୍କ୍‌ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ସନାତନଙ୍କୁ ଘରକୁ ଡକାଇଥିଲେ। ପରେ ଜଣାପଡ଼ିଲା ଯେ ଗୃହ ନିର୍ମାଣ ପାଇଁ ଟ୍ରଙ୍କ୍‌ରେ ସାଇତିଥିବା ୬୦ ହଜାର ଟଙ୍କା ଚୋରି ହୋଇ ଯାଇଛି। ଅଭିଯୋଗ ପାଇବା ପରେ ଯାଁଳା ଫାଣ୍ଡି ପୁଲିସ ଏହା ସନିଆର କାରନାମା ବୋଲି ବୁଝି ଯାଇଥିଲା। ସକାଳୁ ସକାଳୁ ଏମିତି କାଣ୍ଡ କେବଳ ସନିଆ ଚୋରିର ଷ୍ଟାଇଲ୍ ବୋଲି ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। ତେଣୁ ପୁଲିସ ସନିଆକୁ ଖୋଜିଖୋଜି ବିଳମ୍ବିତ ରାତିରେ ଗିରଫ କରିଥିଲା। ଖିଆପିଆ ବାବଦରେ ପ୍ରାୟ ୧୦ ହଜାର ଟଙ୍କା, ପୋଷାକପତ୍ର କିଣାରେ ପ୍ରାୟ ୧୨ ହଜାର ଟଙ୍କା ଉଡ଼ାଇ ଦେଇଥିବା ସେମାନେ ପୁଲିସ ନିକଟରେ ମାନି ଯାଇଥି‌ଲେ।

ସମ୍ବନ୍ଧିତ ଖବର