ପୁଣି ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୁଇକ୍‌ ଆକ୍ସନ ଟିମ୍‌, ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ରାଉନ୍‌ସୁଗାର ବେପାରୀଙ୍କ ଉପରେ ଲଗାତାର ଚଢ଼ଉ ଜାରି ରହିଛି। ଆଜି ଲକ୍ଷ୍ମୀସାଗର ପୁଲିସ୍‌କୁ ଆଉ ଏକ ସଫଳତା ମିଳିଛି। ହଳଦୀପଡ଼ିଆ ବସ୍ତିରେ ବେପାର କରୁଥିବା ବେଳେ ବସ୍ତିର ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଗିରଫ କରିବା ସହ ତା’ଠାରୁ ୨୦ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ବଜାର ଦର ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତାକୁ ଗିରଫ କରାଯିବା ପରେ ପଚରାଉଚରା ଜାରି ରହିଛି। ସେ ଏହି ନିଶାଦ୍ରବ୍ୟ ନିଜ ପକେଟ୍‌ରେ ରଖି ବେପାର କରୁଥିବା ବେଳେ ପୁଲିସ ଖବର ପାଇ ସକାଳ ପ୍ରାୟ ୮ଟା ବେଳେ ତାକୁ ଗିରଫ କରିଥିଲା। ଏହି ଘଟଣାକୁ ହିସାବକୁ ନେଲେ ଗୋଟିଏ ସପ୍ତାହରେ ୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିବା ବେଳେ ଗୋଟିଏ ମାସ‌ରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

ଗତ ନଭେମ୍ବର ୩୦ରେ ଖଣ୍ଡଗିରିରୁ ୪୦ଗ୍ରାମ ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୨୧ ତାରିଖରେ ବରମୁଣ୍ଡାରୁ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ ୨୭ ଗ୍ରାମ ବ୍ରାଉନ୍‌ସୁଗାର ଓ ୩୦ ହଜାର ଟଙ୍କା ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୦ ତାରିଖରେ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ନୂଆପଲୀ ସାଲିଆସାହି ଅଞ୍ଚଳରୁ ୧୯୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା। କଟକ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ୪ ତାରିଖ ଦିନ ୫ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ୫୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ଜଣକୁ ଗିରଫ କରିଥିଲା। ୬ ତାରିଖରେ କୁଇକ୍‌ ଆକ୍ସନ ଟିମ୍‌ ୟୁନିଟ୍‌-୪ ମାର୍କେଟରୁ ୧୪ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲା। ଏଭଳି ଲଗାତାର ଏହି ନିଶାଦ୍ରବ୍ୟ ଜବତ ହେବା ସହ ଅଭିଯୁକ୍ତ ଗିରଫ ହେଉଛନ୍ତି। ହେଲେ ବେପାର ବଢ଼ି ଚାଲିଛି। ଏହା ଗୋଟିଏ କିମ୍ବା ଦୁଇଟି ବସ୍ତିରେ ସୀମିତ ହୋଇ ରହିନାହିଁ। ଏହା ସହରର ଉପକଣ୍ଠକୁ ବ୍ୟାପୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର