ଭଡ଼ା ବାହାନାରେ ଚାଳକଙ୍କୁ ହାଣି ଲୁଟିଲେ

ପୁଣି ମାତିଲେ କାର୍‌ ଲୁଟେରା

ଖଣ୍ଡଗିରି: ରାଜଧାନୀରେ ପୁଣି ମାତିଛନ୍ତିି କାର୍‌ ଲୁଟେରା। ଭଡ଼ା ବାହାନାରେ ଡକାଇବା ପରେ ଚାଳକଙ୍କୁ ହାଣି କାର୍‌ ଲୁଟ୍‌ କରିଛନ୍ତି। ଗୁରୁବାର ଭୋର୍‌ ପ୍ରାୟ ସାଢ଼େ ୪ଟାରେ ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏଭଳି ଏକ ଲୁଟ୍‌। ଉବେର୍‌ କାର୍‌ ଚାଳକଙ୍କୁ ବଡ଼ ଭୟଙ୍କରଭାବେ ହାଣି ଦୁଇ ଜଣ ଦୁର୍ବୃତ୍ତ କାର୍‌କୁ ନେଇ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ କାର୍‌ ଚାଳକ ତଥା ମାଲିକ ବନେଶ ମହାକୁଡ଼ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଖଣ୍ଡଗିରି ଥାନା ପୁଲିସ ଦୁର୍ବୃତ୍ତମାନଙ୍କ ପିଛା କରୁଥିଲେ ବି ଏ ପର୍ଯ୍ୟନ୍ତ ଟେର୍‌ ପାଇ ନଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଜି ଭୋର୍‌ ପ୍ରାୟ ୪ଟାରେ ବ୍ରହ୍ମପୁର ଯିବା ପାଇଁ କାର୍‌ ଦରକାର ବୋଲି କେହି ଜଣେ ଉବେର୍‌ ଅଫିସ୍‌କୁ ଫୋନ୍‌ କରି କହିଥିଲେ। ସେ ଭରତପୁରରୁ ଯିବେ ବୋଲି କହିଥିଲେ। ସେହି ଅନୁସାରେ ଭରତପୁରରେ ରହୁଥିବା ଖୋର୍ଧା ବିଁକୁଡ଼ିଆ ଅଞ୍ଚଳର କାର୍‌ ମାଲିକ ବନେଶଙ୍କୁ ଉବେର୍‌ ଅଫିସ୍‌ରୁ ନିର୍ଦେଶ ଦିଆଯାଇଥିଲା। ବନେଶ୍‌ ତାଙ୍କ କାର୍‌(ଓଡି୦୨ଏଡି୮୫୫୭) ଧରି ଭରତପୁର ଛକକୁ ବାହାରିବାବେଳେ ପୁଣି ଅଫିସ୍‌ରୁ କଲ୍‌ ଆସିଥିଲା ଯେ ବ୍ରହ୍ମପୁର ଯିବାକୁ ଭଡ଼ା କରୁଥିବା ଗ୍ରାହକମାନେ ଖଣ୍ଡଗିରି ତପୋବନ ସ୍କୁଲ୍‌ ନିକଟରେ ଅପେକ୍ଷା କରିଛନ୍ତି। ସେ ତପୋବନ ବିଦ୍ୟାଳୟ ନିକଟରେ ପହଞ୍ଚି ଉକ୍ତ ଫୋନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ, କିନ୍ତୁ କେହି ଫୋନ୍‌ ଉଠାଇ ନଥିଲେ। ତେଣୁ ସେ ପୁଣି ଥରେ ଫୋନ୍‌ରେ ଉକ୍ତ ନମ୍ବର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏତିିକିବେଳେ ଏକ ଧଳା ରଙ୍ଗର ଆକ୍ଟିଭାରେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଗାମୁଛାରେ ମୁହଁକୁ ଢାଙ୍କି ରଖିଥିଲେ। ବନେଶ କିଛି ବୁଝିବା ପୂର୍ବରୁ ପଛରେ ବସିଥିବା ଦୁର୍ବୃତ୍ତଜଣଙ୍କ ଭୁଜାଲିରେ ବନେଶଙ୍କ ଡାହାଣ ହାତକୁ ହାଣି ପକାଇଥିଲା। ଶକ୍ତ ଚୋଟରେ ବନେଶଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଜୀବନ ବିକଳରେ ବନେଶ କାର୍‌ର ଅପରପାର୍ଶ୍ୱ ଡୋର୍‌ ଖୋଲି ଦୌଡ଼ିବାକୁ ଲାଗିଥିଲେ। ଏହି ମଉକାରେ ଭୁଜାଲି ଚୋଟ ପକାଇଥିବା ଦୁର୍ବୃତ୍ତଜଣଙ୍କ କାର୍‌ ଷ୍ଟାର୍ଟ କରି ପଳାଇଥିଲା ଓ ପଛେ ପଛେ ଆକ୍ଟିଭାରେ ଥିବା ଦୁର୍ବୃତ୍ତ ଫେରାର୍‌ ହୋଇ ଯାଇଥିଲା। ବନେଶଙ୍କ ଚିତ୍କାର ଶୁଣି ମର୍ଣଂ ଓ୍ଵାକ୍‌ରେ ଆସିଥିବା କିଛି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଖଣ୍ଡଗିରି ଥାନାକୁ ଖବର ଜଣାଇଥିଲେ। ପୁଲିସ ବନେଶଙ୍କ ସୂଚନାକୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛି। ଖଣ୍ଡଗିରି ଥାନା ପୁଲିସକୁ ଏଥିରେ ସହଯୋଗ କରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗତ ୨୧ ତାରିଖ ରାତିରେ ଜୟଦେବ ବିହାରର ସୌମ୍ୟସୁନ୍ଦର ଦାସ ନାମକ ଜଣେ ଯୁବକଙ୍କୁ ହାଣି ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଲୁଟି ନେଇଥିଲେ। ଆଜିର କାର୍‌ ଲୁଟ୍‌ ମଧ୍ୟ ସେହି ଗ୍ୟାଙ୍ଗ୍‌ର ହାତ ରହିଛି ବୋଲି ପୁଲିସ ଅନୁମାନ କରୁଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମାର୍ଚ୍ଚରେ ଅନୁରୂପଭାବେ ଏକ କାର୍‌ ଲୁଟ୍‌ ହୋଇଥିିଲା। ବିଳମ୍ବିତ ରାତିରେ ସମ୍‌ ହସ୍ପିଟାଲ ନିକଟରୁ ଏକ କାର୍‌କୁ ଭଡ଼ା ବାହାନାରେ ନେଇ ଦୁର୍ବୃତ୍ତମାନେ ଭରତପୁର ଜିଏ କଲୋନି ଛକରେ ଚାଳକଙ୍କୁ ମାଡ଼ ମାରି କାର୍‌ ଲୁଟି ନେଇଥିଲେ। ଥାନା ପୁଲିସ ଉକ୍ତ କାର୍‌କୁ କୋଲକାତାରୁ ଉଦ୍ଧାର କରିବା ସହ ୪ ଜଣ ଲୁଟେରାଙ୍କୁ ଗିରଫ କରିଥିଲା। ସେମାନେ କନ୍ଧମାଳର ଦୁର୍ଦାନ୍ତ ଡକାୟତ ପିଣ୍ଟୁ ଦିଗାଲ୍‌, ସନ୍ଦୀପ ନାୟକ, ଜିତେନ୍ଦ୍ର ସାହୁ ଓ ଏମ୍‌ବିଏ ପାସ୍‌ ଆଉଟ୍‌ ସିଭିଲି କୁମାର ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର