ଶିଶୁପାଳଗଡ଼-ନୂଆଗାଁ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ସଂଘର୍ଷ

ଧଉଳି: ପୂର୍ବ ବିବାଦକୁ କେନ୍ଦ୍ରକରି ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଓ ନୂଆଗାଁର ଦୁଇଗୋଷ୍ଠୀ ମଧ୍ୟରେ ଆଜି ସନ୍ଧ୍ୟାରେ ପୁଣି ଗଣ୍ଡଗୋଳ ହୋଇଛି। ଏ ନେଇ ନୂଆଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶିଶୁପାଳଗଡ଼ର କିଛି ଯୁବକ ନୂଆଗାଁ ଭିତରେ ପଶି ଲୋକଙ୍କୁ ଗାଳିଗୁଲଜ କରି ମାର୍‌ପିଟ୍‌ କରିଥିବା ଏହି ଗୋଷ୍ଠୀର ଯୁବକମାନେ ଅଭିଯୋଗ କରିଥିବା ବେଳେ ଅନୁରୂପ ଭାବେ ଶିଶୁପାଳଗଡ଼ର ୨ ଜଣ ପିଲାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଅଟକ ରଖିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କର୍ପିଓ ଗାଡ଼ିଟିକୁ ମଧ୍ୟ ଗ୍ରାମରେ ଅଟକ ରଖାଯାଇଛି। ଏ ସଂପର୍କରେ ଖବର ପାଇ ଧଉଳି ଥାନା ଅଧିକାରୀ ଓ ପିସିଆର ଭ୍ୟାନ ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶେଷ ସୂଚନା ଅନୁଯାୟୀ ବରିଷ୍ଠ ପୁଲିସ ଅଧିକାରୀ ଶିଶୁପାଳଗଡ଼ର ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ଧଉଳି ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଥାନାରେ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ଲାଗି ଗ୍ରାମରେ ପୁଲିସ ଫୋର୍ସ ମୁତୟନ ହୋଇଛି।

ସମ୍ବନ୍ଧିତ ଖବର