ଖଣ୍ତଗିରି: ମାତ୍ର ଦୁଇ ଦିନ ଅନ୍ତରରେ ପୁଣି କମିସନରେଟ୍ ପୁଲିସ ତମାଣ୍ତୋ ଅଞ୍ଚଳରୁ ଏକ ଚୋରା ବନ୍ଧୁକ ଜବତ କରିଛି। ବେପାର ପାଇଁ ଏହି ଚୋରା ବନ୍ଧୁକ ରଖିଥିବା ଅଭିଯୁକ୍ତ ହେଲେ, ସ୍ଥାନୀୟ ନାରଗୋଦା ସ୍ବାଇଁ ସାହିର ସୁନୀଲ କୁମାର ସ୍ବାଇଁ ଓରଫ ବାପୁଜୀ(୨୭)। ଶନିବାର ରାତିରେ କ୍ୟୁଏଟି ଓ ତମାଣ୍ତୋ ଥାନା ପୁଲିସ ମିଳିତ ଭାବେ କଳିଙ୍ଗବିହାରରୁ ସୁନୀଲକୁ ଗିରଫ କରିବାରେ ସଫଳ ହୋଇଛି। ତା’ଠାରୁ ଗୋଟିଏ ଦେଶୀ ବନ୍ଧୁକ(ସିଙ୍ଗଲ୍ ସଟ୍), ଗୋଟିଏ ଜୀବନ୍ତ ଗୁଳି ଓ ବାଇକ୍ ଜବତ କରାଯାଇଛି। ରବିବାର ତାକୁ କୋର୍ଟ ଚାଲାଣ କରାଯାଇଛି। ତେବେ କୋର୍ଟରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ, ସୁନୀଲ୍ ବନ୍ଧୁକ ଧରି କଳିଙ୍ଗ ବିହାରର ଏକ ନିଛାଟିଆ ସ୍ଥାନରେ କାହାକୁ ଅପେକ୍ଷା କରିଥିିବା କ୍ୟୁଏଟି ଟିିମ୍ ଖବର ପାଇଥିଲା। ତୁରନ୍ତ ତମାଣ୍ତୋ ଥାନା ପୁଲିସ ସହଯୋଗରେ କ୍ୟୁଏଟି ଉକ୍ତ ସ୍ଥାନରେ ଚଢ଼ଉ କରିଥିିଲା। ପୁଲିସ ଆସିବା ଜାଣିପାରି ସୁନୀଲ୍ ତା ବାଇକ୍ ଛାଡ଼ି ଚାଲି ଚାଲି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ ତାକୁ କାବୁ କରି ଯାଞ୍ଚ କରିଥିଲା। ତା’ ଅଣ୍ଟାରୁ ଉକ୍ତ ଦେଶୀ ପିସ୍ତଲ ଓ ପକେଟରୁ ଗୁଳି ବାହାରିଥିଲା।
ସେ ପୁଲିସକୁ ଦେଇଥିବା ବୟାନ୍ ଅନୁସାରେ, ଉକ୍ତ ବନ୍ଧୁକକୁ ସେ ଖୋର୍ଧା ବେଗୁନିଆ ଅଞ୍ଚଳରୁ ୧୦ ହଜାର ଟଙ୍କା ଦେଇ କିଣିଥିଲା ଓ ଜଣଙ୍କୁ ୨୩ ହଜାର ଟଙ୍କାରେ ବିକିବ ବୋଲି ଯୋଜନା କରିଥିଲା। କୁଖ୍ୟାତ ଗୋ-ଚାଲାଣକାରୀ ତଥା ଟିଟୋ ଲିଙ୍କ୍ରେ ଗିରଫ ହୋଇ ଜେଲ୍ରେ ଥିବା ବେଗୁନିଆ ଅଞ୍ଚଳର ବଟୁ ପାଣି ସହ ସୁନୀଲ୍ର ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ବଟୁ ପାଣି କଳିଙ୍ଗ ବିହାରରେ ରହୁଥିବା ବେଳେ ସୁନୀଲ୍ ଭଳି କିଛି ଯୁବକ ଗୋ-ଚାଲାଣ କାମରେ ଟ୍ରକ୍ଗୁଡ଼ିକୁ ସୁରକ୍ଷା ପାଇଁ ନିୟୋଜିତ ରହୁଥିଲେ ବୋଲି ପୁଲିସ ଅନୁମାନ କରୁଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଥିବା ବେଳେ ପରେ କଳିଙ୍ଗ ବିହାରରେ ବଟୁ ପାଣିର କଳାସାମ୍ରାଜ୍ୟ ବାବଦରେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ୧୯ ତାରିଖ ରାତିରେ କ୍ୟୁଏଟି ଓ ତମାଣ୍ତୋ ଥାନା ପୁଲିସ ମିଳିତ ଭାବେ ତମାଣ୍ତୋ ପେଟ୍ରୋଲ୍ ପମ୍ପ ନିକଟରୁ କନ୍ଧମାଳର ଅମି ନାଏକ ଓ ରାଜୁ ସି˚ହ ନାମକ ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ୬ ରାଉଣ୍ତ ଗୁଳି ଜବତ ହୋଇଥିଲା।