ପୁଣି ୨ ଜଣଙ୍କୁ ଲୁଟିଲେ ନିଶାଦିଆ ଲୁଟେରା

ଖଣ୍ଡଗିରି: ଶନିବାର ରାତିରେ ପୁଣି ୨ଜଣଙ୍କୁ ରାଜଧାନୀର ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ ଲୁଟ୍‌ କରିବା ସହ ରାଜରାସ୍ତାରେ ଫିଙ୍ଗି ଦେଇଛନ୍ତି। ସେମାନେ ହେଲେ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁର ରାମନାଥ ସିଂହଙ୍କ ପୁଅ ସୁନରାମ ଓ କେନ୍ଦ୍ରାପଡ଼ା ରାଜନଗର ଥାନା ନେଥୁରିଆ ଗାଁର ରଞ୍ଜନ ସ୍ବାଇଁଙ୍କ ପୁଅ ଅଭିରାମ। ଲୁଟେରାମାନେ ସେମାନଙ୍କଠାରୁ ନଗଦ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି। ଦୁଇ ଜଣଯାକ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନାନୁସାରେ, ସୁନାରାମ ଗତକାଲି ରାତିରେ ତାଙ୍କ ବଡ଼ବାପାଙ୍କ ସହ ବେଙ୍ଗାଲୁର୍‌ରୁ ଫେରି ଭୁବନେଶ୍ବରରେ ପହଞ୍ଚିଥିଲେ। ସେମାନେ ପ୍ଲାଟଫର୍ମରେ ବସିଥିବା ବେଳେ ଜଣେ ଯୁବକ ସୁନାରାମଙ୍କ ନିକଟରେ ବସି କଥା ଛଳରେ ସେ ବି ଶଙ୍ଖାଭଙ୍ଗା ପାଖ ଗାଁକୁ ଯିବ ବୋଲି କହିଥିଲା। ପରେ ସେ ସୁନାରାମକୁ ଭୁଲାଇ ଷ୍ଟେସନ ବାହାରକୁ ନେଇଥିଲା ଓ ଏକ ନିଛାଟିଆ ସ୍ଥାନରେ ନିଶାଯୁକ୍ତ ସିଗାରେଟ୍‌ ପିଆଇ ସଂଜ୍ଞାହୀନ କରି ଦେଇଥିଲା। ପରେ ତାଙ୍କଠାରୁ ନଗଦ ୫ହଜାର ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଥିଲା। ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ ତାଙ୍କ ଚିକିତ୍ସା କରାଯାଇଥିଲା ଓ ପରେ ତାଙ୍କୁ ତାଙ୍କ ବଡ଼ବାପାଙ୍କ ଦାୟିତ୍ବରେ ଛଡ଼ା ଯାଇଥିଲା। ସେହିଭଳି ଅଭିରାମ ଗତକାଲି ରାତିରେ ମୁମ୍ବାଇରୁ ଫେରି ଭୁବନେଶ୍ବରରେ ପହଞ୍ଚିଥିଲେ। ସେ ବାଣୀବିହାରରୁ ବସ୍‌ ଯୋଗେ କଟକ ଓ ପରେ କେନ୍ଦ୍ରାପଡ଼ା ଯିବାର ଥିଲା। ଏତିକିବେଳେ ୪/୫ଜଣ ଯୁବକ କଟକ ଯାଉଥିବା କହି ତାଙ୍କୁ ଅଟୋରେ ନେବା ପାଇଁ ସାଙ୍ଗ କରିଥିଲେ। ସେମାନଙ୍କ ଚାଲ୍ ବୁଝିନପାରି ଅଭିରାମ ଅଟୋରେ ବସିଥିଲେ ଓ ରସୁଲଗଡ଼ ଛକରେ ସେମାନଙ୍କ ସହ ଚା ପିଇଥିଲେ। ଆଜି ତାଙ୍କୁ ହାଇଟେକ୍‌ ଛକରୁ ସଂଜ୍ଞାହୀନ ଅବସ୍ଥାରେ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା।

ସମ୍ବନ୍ଧିତ ଖବର