ଭୁବନେଶ୍ୱର: ଗତ କିଛିଦିନ ତଳେ କ୍ୟାପିଟାଲ ଥାନା ପୁଲିସ ଏକ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ସହ ୩୦ଟି ମୋବାଇଲ୍ ଫୋନ୍ ଜବତ କରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ ଆଉ ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରି ୨ ଲୁଟେରାଙ୍କୁ ଗିରଫ କରିଛି। ପୁଲି ସେମାନଙ୍କ ଠାରୁ ୩୦ଟି ମୋବାଇଲ୍ ଫୋନ୍, ସୁନା ଚେନ୍ ଓ ଗୋଟିଏ ବାଇକ୍ ଜବତ କରିଛି। ସେମାନେ ହେଲେ ପିପିଲି ଅଞ୍ଚଳର ଜୟଦେବ ସାହୁ(୩୦) ଓ କଦଳୀ ଗୋଡାଉନ୍ ଅଞ୍ଚଳର କାଳିଆ ବେହେରା(୩୦)।
ପୁଲିସ ସୂଚନା ମୁତାବକ, ଗତ ନଭେମ୍ବର ୨ହ ତାରିଖ ରାତି ପ୍ରାୟ ସାଢ଼େ ୮ଟା ସମୟରେ ଶିବ ପ୍ରସାଦ ପଟ୍ଟନାୟକ ନାମକ ଜଣେ ଯୁବକ ଚିତ୍ରକୁଟ୍ ଆଶ୍ରମ ନିକଟ ସେଣ୍ଟ୍ରାଲ୍ ହୋଣ୍ଡା ସୋରୁମ୍ ସମ୍ମୁଖରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ମୋବାଇଲ୍କୁ ଝାମ୍ପିନେଇଥିଲେ। ଜୟଦେବ ଓ କାଳିଆ ଏକ ବାଇକ୍ରେ ଆସି ଶିବଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏନେଇ ଶିବ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଶିବଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକିଂ କରିଥିଲା। ତେବେ ମଙ୍ଗଳବାର ରାତିରେ ଶିବଙ୍କ ମୋବାଇଲ୍ ପିପିଲି ଅଞ୍ଚଳରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ ସେଠାରେ ଚଢ଼ାଉ କରି ଜୟଦେବ ଠାରୁ ୨୯ ଟି ମୋବାଇଲ୍, ବାଇକ ଓ ଗୋଟିଏ ସୁନା ଚେନ୍ ଜବତ କରିଥିଲା। ପୁଲିସ ଜୟଦେବକୁ ଥାନାକୁ ଆଣି ପଚରା ଉଚରା ବେଳେ ତା ସହ କାଳିଆ ସମ୍ପୃକ୍ତ ଥିବା କହିଥିଲା। ଆଉ ସେମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍ପାଟ କରିଥିବା ମାନିଥିଲା। ପୁଲିସ ଜୟଦେବ ଠାରୁ କାଳିଆର ଠିକଣା ପାଇଥିଲା। ଏହାପରେ ପୁଲିସ କଦଳୀଗୋଡାଉନ୍ ସ୍ଥିତ କାଳିଆ ଘରେ ଚଢ଼ାଉ କରି ସେଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିବା ତାକୁ ଗିରଫ କରିଥିଲା। ଆଜି ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଗୁଡ଼ିକୁ ଖୁବ୍ଶୀଘ୍ର ଫେରସ୍ତ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଡିସିପି କହିଛନ୍ତି।