ନୂଆଦିଲ୍ଲୀ: କଥାରେ ଅଛି ପ୍ରକୃତ ପ୍ରେମ ଉଚ୍ଚ-ନୀଚ, ଧନୀ-ଦାରିଦ୍ର୍ୟ କିଛି ଦେଖେ ନାହିଁ। ପ୍ରେମ ପାଇଁ ଜଣେ ବ୍ୟକ୍ତି ନିଜ ଜୀବନକୁ ବି ବାଜି ଲଗାଇବା ପାଇଁ ପଛାଏ ନାହିଁ। 
Advertisment

ରାଜସ୍ଥାନରୁ ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ସର୍ଦ୍ଦାରଶହରର ୨୭ ବର୍ଷୀୟ ରଫିକ୍ ଖାନ ଜମ୍ମୁ ଏବଂ କାଶ୍ମୀରର ୨୪ ବର୍ଷୀୟା ରିଜୱାନା ଅଖତରଙ୍କ ପ୍ରେମରେ ପଡ଼ି ଯାଇଥିଲେ। 

ଏୟାର ହୋଷ୍ଟେସ ରିଜୱାନା ତାଙ୍କ ପ୍ରେମିକାଙ୍କ ପାଇଁ ୭୦୦ କିଲୋମିଟର ଯାତ୍ରା କରି ଚୁରୁ ସହରରେ ଆସି ପହଞ୍ଚିଥିଲେ। 

ଜମ୍ମୁ-କାଶ୍ମୀରର ରିଜୱାନା ଅଖତର ପ୍ରାୟ ୮ ମାସ ପୂର୍ବେ ଇନଷ୍ଟାଗ୍ରାମ ମାଧ୍ୟମରେ ସର୍ଦ୍ଦାରଶହରର ରଫିକ୍ ଖାନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଦୁହେଁ କଥାବାର୍ତ୍ତା ଆରମ୍ଭ କରିଥିଲେ। ଇତି ମଧ୍ୟରେ ପରସ୍ପର ନମ୍ବର ଅଦଳବଦଳ କରିଥିଲେ। ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। 
ଦୁହେଁ ସେମାନଙ୍କ ପ୍ରେମକୁ ଏକ ନାମ ଦେବାକୁ ନିଷ୍ପତ୍ତି ନେଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଜୱାନା ଅଖତର ଘରେ କାହାକୁ କିଛି ନଜଣାଇ ପ୍ରେମିକଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଆସି ପହଞ୍ଚି ଯାଇଥିଲେ।
ଏଠାରେ ରଫିକ୍ ଖାନଙ୍କୁ ରିଜୱାନା ଭେଟିବା ପରେ ଦୁହେଁ ସର୍ଦ୍ଦାରଶହରକୁ ଫେରିଯାଇ ମୁସଲିମ ରୀତିନୀତି ଅନୁସାରେ ବିବାହ କରିଥିଲେ। ରିଜୱାନାଙ୍କ ପରିବାର ଏହି ସମ୍ପର୍କରେ ରାଜି ନଥିଲେ। ସେମାନେ ଝିଅର ବିବାହ ସମ୍ପର୍କ‌ରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ରିଜୱାନାଙ୍କୁ ସାଥୀରେ ଜୋରଜବରଦସ୍ତି ଜମ୍ମୁ କାଶ୍ମୀରକୁ ଫେରାଇ ଆଣିଥିଲେ। ଏହି ଘଟଣା ଶେଷରେ କୋର୍ଟରେ ପହଞ୍ଚିଥିଲା। 
 
କୋର୍ଟରେ ରିଜୱାନା ତାଙ୍କ ସ୍ୱାମୀ ରଫିକଙ୍କ ସହିତ ରହିବାକୁ ଚାହାଁନ୍ତି ବୋଲି ବୟାନ ଦେଇଥିଲେ। ଏହା ପରେ ରିଜୱାନାଙ୍କୁ ରଫିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୁହେଁ ପୁଣି ଏକାଠି ହୋଇପାରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ ରିଜୱାନା ଓ ରଫିକ୍।