ଏୟାରଫିଲ୍ଡ ଅଞ୍ଚଳର ଅଭିମନ୍ୟୁ ନାଏକ ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର: ଏୟାରଫିଲ୍ଡ ଅଞ୍ଚଳର ଅଭିମନ୍ୟୁ ନାଏକ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍ ଧନେଶ୍ବର ମଲ୍ଲିକ ଏହି ଘଟଣାର ଅଭିଯୁକ୍ତ ଚନ୍ଦନ ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ଆଦେଶ ହୋଇଛି। ୧୨ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ୍କୁ ଆଧାର କରି ଜଜ୍ ଏହି ରାୟ ଶୁଣାଇଛନ୍ତି। ୨୦୧୮ ଅକ୍ଟୋବର ୨୮ ତାରିଖ ଦିନ ଏହି ଘଟଣା ଘଟିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଲିଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଅଭିମନ୍ୟୁ ରାଧାମୋହନ କଲୋନିରେ ରହୁଥିଲେ। ପଇସା ନେଣଦେଣକୁ ନେଇ ଚନ୍ଦନ ସହ ତାଙ୍କର ମନାନ୍ତର ହୋଇଥିଲା। ଗତ ୨୦୧୮ ଅକ୍ଟୋବର ୨୮ ତାରିଖ ଦିନ ଅଭିମନ୍ୟୁ ଘରକୁ ଆସିଥିଲା ଚନ୍ଦନ। ଅଭିମନ୍ୟୁଙ୍କୁ ବାହାରକୁ ଡାକିବା ପରେ ଗାଳିଗୁଲଜ କରିବା ସହ ଏକ ବଡ଼ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଏହା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଘର ସାମ୍ନାରେ ରହୁଥିବା ତାଙ୍କ ଭିଣୋଇ ପଙ୍କଜ ନାଏକ ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଅଭିମନ୍ୟୁଙ୍କୁ କଟକ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।