ନୂଆଦିଲ୍ଲୀ: ଆଜି ବି ଅନେକ ଲୋକ କଳା ଯାଦୁ ଉପରେ ବିଶ୍ୱାସ କରନ୍ତି। ଏହି କାରଣରୁ ଅନେକଲୋକ ତାନ୍ତ୍ରିକର ଶିକାର ହୋଇଯାଇଥାଆନ୍ତି। ଏମିତି ଏକ ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି। ଏକ ଦମ୍ପତି ତାନ୍ତ୍ରିକ କଥାରେ ସିଂହର କଟା ମୁଣ୍ଡକୁ ବ୍ୟାଗରେ ଧରି ଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।
ଉକ୍ତ ଦମ୍ପତିଙ୍କ ପାଖରୁ ସିଂହର କଟା ମୁଣ୍ଡ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ପୁଲିସ କହିଛି ଯେ ଏହି ଦମ୍ପତି ସିଂହର କଟ ମୁଣ୍ଡକୁ ଧରି ଜଣେ ତାନ୍ତ୍ରିକଙ୍କୁ ବିକ୍ରି କରିବାକୁ ଯାଉଥିଲେ। ଏହାର ପ୍ରତିବଦଳରେ ତାନ୍ତ୍ରିକ ଦୁହିଁଙ୍କୁ ୧୮ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଇଥିଲେ। ତାନ୍ତ୍ରିକ ସିଂହର ଏହି କଟା ମୁଣ୍ଡରୁ କଳା ଯାଦୁ ଔଷଧ ତିଆରି କରିବେ ବୋଲି ଜଣାପଡ଼ିଛି। ତାନ୍ତ୍ରିକଙ୍କୁ ଭେଟିବା ପୂର୍ବରୁ ପୁଲିସ ଏହି ଦମ୍ପତିଙ୍କୁ ଧରି ନେଇଥିଲା।
ଜାତୀୟ ପରିବେଶ ପରିଚାଳନା ଜୈବ ବିବିଧତା ଆଇନ୍-୨୦୦୪ ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦମ୍ପତି ସିଂହର କଟା ମୁଣ୍ଡ କେଉଁଠୁ ଆଣିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ।
ଦକ୍ଷିଣ ଆଫ୍ରିକାରେ ସିଂହମାନଙ୍କ ଫାର୍ମିଂ କରାଯାଇଥାଏ। ସିଂହମାନଙ୍କୁ ସେଠାରେ ପାଳନ କରାଯାଏ। ଏହାପରେ ସିଂହମାନଙ୍କୁ ହତ୍ୟା କରାଯାଇ ସେମାନଙ୍କର ହାଡ ବିକ୍ରି ହୋଇଥାଏ। ବର୍ତ୍ତମାନ ଏହି ଦମ୍ପତିଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଲାଇଛି ପୁଲିସ। ତାନ୍ତ୍ରିକ ସମ୍ପର୍କରେ ବି ଉକ୍ତ ଦମ୍ପତିଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ।