ଅଜିତ୍‌ ଅପହରଣ ଓ ହତ୍ୟା ମାମଲା : ୩ ମାସ ପରେ ଧରାପଡ଼ିଲା ଜଣେ ହତ୍ୟାକାରୀ

ଖଣ୍ଡଗିରି : ୩ ମାସ ତଳେ ମାର୍ବଲ ମିସ୍ତ୍ରି ଅଜିତ୍‌ ଅପହରଣ ଓ ହତ୍ୟା ମାମଲାରେ ସମ୍ପୃକ୍ତ ୨ ଜଣ ହତ୍ୟାକାରୀଙ୍କ ମଧ୍ୟରୁ ସୋମବାର ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପିପିଲିରେ ରହୁଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗୋଦାବରୀ ଅଞ୍ଚଳର ଅକ୍ଷୟ ପ୍ରଧାନ(୪୦)। ଏହି ମାମଲାରେ ଅକ୍ଷୟ ସହ ସାମିଲ ଥିବା ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ବଙ୍ଗାଳୀ ଠିକାଦାର କୈଳାସ ଓରଫ୍‌ ଦୀପକ ଏବେ ବି ଫେରାର୍‌ ରହିଛି। ହତ୍ୟାର ଶିକାର ହୋଇଥିବା ବୁଦ୍ଧିରାମଙ୍କ ପୁଅ ଅଜିତ୍‌ ଜେନା(୨୫)ଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜରଡ଼ା ଗାଁରେ ଓ ସେ ବରମୁଣ୍ଡା ଗୋଦାମ ସାହିରେ ରହୁଥିଲେ। ଫେବ୍ରୁଆରି ୮ ତାରିଖରେ ତାଙ୍କୁ ଅଭିଯୁକ୍ତ କୈଳାସ ଓ ଅକ୍ଷୟ ଭୁବନେଶ୍ୱର କଳ୍ପନା ଛକରୁ ଅପହରଣ କରି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ମୋଟରୀ ନିକଟସ୍ଥ ଏକ ଜଙ୍ଗଲିଆ ଅଞ୍ଚଳରେ ହତ୍ୟା କରିଥିଲେ। ବେକକୁ ଗାମୁଛାରେ ବାନ୍ଧି ଚାପିଦେବା ସହ ମୁଣ୍ଡକୁ ପଥରରେ ଛେଚି ସେମାନେ ଅଜିତ୍‌ଙ୍କୁ ହତ୍ୟା କରିଥିଲେ।

ବାକି ଟଙ୍କା ପାଇଁ ବାଇକ୍‌ ଛଡ଼ାଇବାରୁ ହତ୍ୟା
ପୁଲିସ ସୂଚନାନୁସାରେ ଅଜିତ୍‌ ଜେନା(୨୫) ଜଣେ ମାର୍ବଲ ମିସ୍ତ୍ରି ଭାବେ କାମ କରୁଥିଲେ। ଶ୍ୟାମପୁର ଅଞ୍ଚଳରେ ଭଡ଼ାରେ ରହୁଥିବା ବଙ୍ଗାଳି ଠିକାଦାର କୈଳାସ ଓରଫ୍‌ ଦୀପକଙ୍କ ସାଇଡ୍‌ରେ ଅଜିତ୍‌ କାମ କରୁଥିଲେ। ଏକ କାମ ବାବଦରେ ଅଜିତ୍‌ ଠିକାଦାର କୈଳାସଙ୍କଠାରୁ ୫୨ ହଜାର ଟଙ୍କା ପାଇବାର ଥିଲା। କିନ୍ତୁ କୈଳାସ ହିସାବ ଭୁଲ୍‌ଭାଲ୍‌ କରି ତାକୁ ୨୫ ହଜାର ଟଙ୍କା ଦେବାକୁ କହିଥିଲେ। ମାତ୍ର ପରେ ସେହି ୨୫ ହଜାର ଟଙ୍କା ବି ଦେଇ ନଥିଲେ। କୈଳାସ ଟଙ୍କା ନ ଦେଇ ଦିନ ଗଡ଼ାଇ ଗଡ଼ାଇ ଚାଲିବାରୁ ଗତ ଫେବ୍ରୁଆରି ୫ ତାରିଖରେ ଅଜିତ୍‌ ଓ ତା’ର ସମ୍ପର୍କୀୟମାନେ ଶ୍ୟାମପୁରସ୍ଥିତ କୈଳାସର ଭଡ଼ାଘରେ ପହଞ୍ଚି ତାର ପାସନ୍‌ ପ୍ରୋ ବାଇକ୍‌କୁ ବନ୍ଧକ ଆକାରରେ ନେଇ ଆସିଥିଲେ। ଏହି ଘଟଣା ପରେ କୈଳାସର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ତେଣୁ ଅଜିତକୁ ହତ୍ୟା କରିବାକୁ ସେ ଯୋଜନା କରିଥିଲା। ଏଥିପାଇଁ ସେ ପିପିଲିରୁ ଆସି ରାଜଧାନୀରେ ମାର୍ବଲ କାମର ଠିକାଦାରୀ କରୁଥିବା ଅକ୍ଷୟ ପ୍ରଧାନକୁ ସହଯୋଗ ମାଗିଥିଲା। ଅକ୍ଷୟ ଓ କୈଳାସ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ଫେବ୍ରୁଆରି ୮ ତାରିଖ ଦିନ ଅକ୍ଷୟ ଫୋନ୍‌ କରି ଅଜିତ୍‌କୁ କଳ୍ପନା ଛକକୁ ଡକାଇଥିଲା। ଅଜିତ୍‌ କଳ୍ପନା ଛକରେ ପହଞ୍ଚିବା ପରେ ଚତୁରତାର ସହ ଅକ୍ଷୟ ତାକୁ କାମର ସାଇଡ୍‌ ଦେଖାଇବାକୁ କହି ଏକ ଅଟୋରେ ନେଇ ଶ୍ୟାମପୁରସ୍ଥିତ କୈଳାସର ଭଡ଼ାଘରକୁ ନେଇ ଯାଇଥିଲା ଓ ସେଠାରେ ଦୁହେଁ ମିଶି ତାକୁ ବାନ୍ଧି ପକାଇଥିଲେ। ସେହି ଦିନ ରାତିରେ ସେମାନେ ଅଜିତ୍‌ଙ୍କୁ ନେଇ ପିପିଲି ଯାଇଥିଲେ। ଓ ପିପିଲିରୁ ଦେବେନ୍ଦ୍ର ସାହୁଙ୍କ ଅଟୋ ଭଡ଼ା କରି ସେମାନେ ଜଟଣୀ ରେଳ ଲାଇନ୍‌ କଡ଼େ କଡ଼େ ଅରାଗଡ଼ ପୋଲ ଦେଇ କୈଳାସର ଶ୍ୱଶୁର ଘର ମୋଟରୀ ଗାଁ ଅଭିମୁଖେ ଯାଇଥିଲେ। ଗାଁଠାରୁ କିଛି ଦୂରରେ ଅଟୋଚାଳକ ଦେବେନ୍ଦ୍ରକୁ ଅପେକ୍ଷା କରିବାକୁ କହି ସେମାନେ ଏକ ଜଙ୍ଗଲିଆ ତୋଟା ଭିତର ଦେଇ ଯାଇଥିଲେ ଓ ପୁଣି ଥରେ ଅଜିତ୍‌ଙ୍କ ଘରକୁ ଫୋନ୍‌ କରିଥିଲେ। ବାଇକ୍‌ ନେଇ ପିପିଲି ଯିବାକୁ ଧମକ ଦେଇଥିଲେ। ଏହା ପରେ କୈଳାସ ଓ ଅକ୍ଷୟ ସେହିଠାରେ ଅଜିତ୍‌ଙ୍କୁ ପଥରରେ ଛେଚି ହତ୍ୟା କରିବା ସହ ଅଧା ପୋତି ଦେଇଥିଲେ। ଘଟଣାସ୍ଥଳରୁ ଅକ୍ଷୟ ଏକାକୀ ଫେରି ଦେବେନ୍ଦ୍ରେ ସହ ଅଟୋରେ ପିପିଲି ଫେରି ଆସିଥିଲା। ପରଦିନ ଅଧାପୋତା ଶବ ବାବଦରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ହରିରାଜପୁର ଫାଣ୍ଡି ପୁଲିସ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିଲା। କିନ୍ତୁ ୪ ଦିନ ପରେ ମୃତକଙ୍କ ପରିଚୟ ନ ପାଇ ଡେଲାଙ୍ଗ ଥାନା ପୁଲିସ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରରେ ପୋତି ଦେଇଥିଲା।

କେମିତି ଧରାପଡ଼ିଲା ଅକ୍ଷୟ
ଏଣେ ଅଜିତ୍‌ଙ୍କ ଅପହରଣ ମାମଲାରେ କୈଳାସର ସମ୍ପୃକ୍ତି ଥିବା ନେଇ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ଥିଲା। କିନ୍ତୁ ଅକ୍ଷୟର ପୂର୍ବ ପରିଚିତି ନଥିବାରୁ ପୁଲିସକୁ ଅଡ଼ୁଆ ହୋଇଥିଲା। ପୁଣି ଉଭୟ ଫୋନ୍‌ ନମ୍ବର ବଦଳାଇ ଦେଇଥିବାରୁ ପୁଲିସ ସେମାନଙ୍କୁଠାବ କରିବା ସମ୍ଭବ ହୋଇ ନଥିଲା। ସେହିଭଳି କୈଳାସର ଶ୍ୱଶୁର ଘର ଡେଲାଙ୍ଗ ମୋଟରୀ ବୋଲି ମଧ୍ୟ କାହାକୁ ଜଣା ନଥିଲା। ତେବେ ରାଜଧାନୀରେ ମାର୍ବଲ କାମ କରୁଥିବା ମିସ୍ତ୍ରି ଓ ଠିକାଦାରଙ୍କ ବାବଦରେ ସନ୍ଧାନ କରୁକରୁ ଖଣ୍ଡଗିରି ଥାନା ପୁଲିସକୁ ଅକ୍ଷୟ ବାବଦରେ ସୁରାକ୍‌ ମିଳି ଯାଇଥିଲା ଓ ଅକ୍ଷୟ ସହ କୈଳାସ ସମ୍ପର୍କ ବାବଦରେ ତଥ୍ୟ ମିଳି ଯାଇଥିଲା। ତେଣୁ ଅକ୍ଷୟକୁ ପିଛା କରି କରି ଖଣ୍ଡଗିରି ଥାନା ପୁଲିସ ତାକୁ ପିପିଲିରୁ ଉଠାଇଥିଲା। ପରେ ପରେ ଅଟୋଚାଳକ ଦେବେନ୍ଦ୍ରକୁ ମଧ୍ୟ ଠାବ କରାଯାଇଥିଲା। ଅଜିତ୍‌କୁ ହତ୍ୟା କରିଥିବା ନେଇ ଅକ୍ଷୟ ପୁଲିସ ନିକଟରେ ମାନି ଯାଇଥିଲା ଓ ମୃତଦେହ ପୋତା ହୋଇଥିବା ସ୍ଥାନକୁ ପୁଲିସକୁ ନେଇଥିଲା। ହରିରାଜପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଜିତ୍‌ଙ୍କ ପ୍ୟାଣ୍ଟ ସାର୍ଟ ଓ ଅନ୍ୟ କିଛି ଜବତ ଜିନିଷ ଖଣ୍ଡଗିରି ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। ପ୍ୟାଣ୍ଟ ସାର୍ଟରୁ ପରିବାର ଲୋକେ ଅଜିତ୍‌ଙ୍କୁ ଚିହ୍ନଟ କରିଥିଲେ। ତଥାପି ପ୍ରମାଣକୁ ବଳିଷ୍ଠ କରିବା ପାଇଁ ପୁଲିସ ସ୍ୱର୍ଗଦ୍ୱାରରୁ ଅଜିତ୍‌ଙ୍କ ଶବ ଖୋଳି ବାହାର କରିବା ସହ ଡିଏନ୍‌ଏ ପରୀକ୍ଷା ପାଇଁ ଅସ୍ଥି ନମୁନା ସଂଗ୍ରହ କରିବ ବୋଲି ସୂଚନା ଦେଇଛି।

ସମ୍ବନ୍ଧିତ ଖବର