ଖଣ୍ଡଗିରି : ସାଢ଼େ ୭ ଲକ୍ଷ ଟଙ୍କା ହେରଫେର୍ କରିଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଆମ୍ରି ହସ୍ପିଟାଲର ପୂର୍ବତନ ବିଲିଂ ଅଧିକାରୀ ବିଦ୍ବାନ ଶଙ୍କର ନାୟକ(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହସ୍ପିଟାଲ ପକ୍ଷରୁ ଟଙ୍କା ହଡ଼ପ୍ ଅଭିଯୋଗ ଆସିବା ପରେ ବିଦ୍ବାନ ପୋଖରୀପୁଟସ୍ଥିତ ଭଡ଼ା ଘର ଛାଡ଼ି ଫେରାର୍ ହୋଇଯାଇଥିଲେ। ଗତକାଲି ପୁଲିସ ତାଙ୍କୁ ଅନୁଗୁଳ ଜରପଡ଼ାରୁ ଗିରଫ କରିଛି।
ପୁଲିସ ସୂଚନାନୁସାରେ ବିଦ୍ବାନ୍ ଏହି ହସ୍ପିଟାଲରେ ବିଲିଂ ଅଧିକାରୀ ଭାବେ କାମ କରୁଥିଲେ ଓ କାଉଣ୍ଟରରେ ଟଙ୍କା ରଖୁଥିଲେ। ତେବେ ଅଡିଟ୍ରୁ ଜଣାଗଲା ଯେ ଗତ ଦୁଇ ବର୍ଷ ଭିତରେ ସେ ୭.୫ ଲକ୍ଷ ଟଙ୍କା ହଡ଼ପ୍ କରିଛନ୍ତି। ସେ ଏହାକୁ ଅସ୍ବୀକାର କରିବା ସହ ରୋଗୀମାନଙ୍କୁ ରିହାତି ଦେଇଥିବା ଯୁକ୍ତି କରିଥିଲେ। ମାତ୍ର ଏହା ତାଙ୍କ କ୍ଷମତା ବାହାରେ ହୋଇଥିବାରୁ ଜଣାଗଲା ଯେ ସେ ରୋଗୀଙ୍କୁ ରିହାତି ଦେବା ବାହାନାରେ ନିଜେ ଟଙ୍କା ହଡ଼ପ୍ କରିଛନ୍ତି। ତେଣୁ ହସ୍ପିଟାଲର ଆଇନ ପରାମର୍ଶଦାତା ରମେଶଚନ୍ଦ୍ର ବେହେରା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।