ଅମୃତସର: ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହଙ୍କୁ ନେଇ ଲଗାତର ଚର୍ଚ୍ଚା ଲାଗି ରହିଛି। ସେ ପୂର୍ବରୁ ଶିଖ୍ ଧର୍ମକୁ ନେଇ ବଡ଼ ବଡ଼ କଥା କହୁଥିବାର ଶୁଣିବାକୁ ମିଳୁଥିଲା। ମାତ୍ର ନିକଟରେ ତା’ର ଅସଲ ଚେହେରା ଜଣାପଡ଼ିଛି। ସେ ଜଣେ ଯୁବତୀଙ୍କର ଅଶ୍ଳୀଳ ଭିଡିଓ ବନାଇ ତାଙ୍କୁ ବ୍ଲାକ୍ମେଲ୍ କରୁଥିଲା ବୋଲି ଜାଣିବାକୁ ମିଳିଛି। ଅମୃତପାଲ୍ ଯୁବତୀଙ୍କ ସହ ଭଲପାଇବାର ଅଭିନୟ କରି ତାଙ୍କର ଅଶ୍ଳୀଳ ଭିଡିଓ ବନାଇ ତାଙ୍କୁ ବ୍ଲାକ୍ମେଲ୍ କରୁଥିଲା। ଏପରି ସେ କେବଳ ଜଣେ ନୁହେଁ, ଅନେକ ଯୁବତୀଙ୍କ ସହ କରିଛି ବୋଲି ଜଣାପଡ଼ିଛି।
ଜାଣିବାକୁ ମିଳିଛି ଯେ ସେ କୌଣସି ସନ୍ଥ ନୁହେଁ, ବରଂ ଜଣେ ବଡ଼ ପ୍ରତାରକ। ଯୁବତୀମାନଙ୍କୁ ପ୍ରତାରଣା କରିବା ତା’ର ବଡ଼ ସଉକ ଥିଲା। ଗଣମାଧ୍ୟମ ସଂସ୍ଥା ‘ଆଜ୍ତକ୍’ ନିକଟରେ ଅମୃତପାଲ୍ର ଏକ ଅଡିଓ କ୍ଲିପ୍ ଅଛି। ସେଥିରେ ସେ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇ ନିଜ ପାଖରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରଖିଥିବା କଥା କହୁଛି। ତାହାକୁ ସେ କେଉଁ ବି ମୁହୂର୍ତ୍ତରେ ଭାଇରାଲ୍ କରି ଦେଇପାରେ ବୋଲି ଶୁଣିବାକୁ ମିଳୁଛି।
ପଳାତକ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଏଯାଏଁ ଧରାପଡ଼ିନାହିଁ। ୫ ଦିନ ବିତିଯାଇଥିଲେ ବି ପୁଲିସ ଅମୃତପାଲର ଟେର ପାଉନି। ଅମୃତପାଲଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାରେ ତାଙ୍କ ପତ୍ନୀ କିରଣଦୀପ କୌର ଓ ମା’ ବଲୱିନ୍ଦର କୌରଙ୍କୁ ପୁଲିସ ଜେରା କରିଛି। ବରିଷ୍ଠ ଏସ୍ପି ସତିନ୍ଦର ସିଂହ ଏହି ଜେରାକୁ ଏକ ରୁଟିନ୍ ବିଷୟ ବୋଲି କହିଛନ୍ତି। ପୁଲିସ ଟିମ୍ ଅମୃତପାଲ୍ର ଘରେ ଆଜି ପ୍ରାୟ ଘଣ୍ଟାଏ ରହିଥିଲେ। ମିଳିଥିବା ସୂଚନାନୁଯାୟୀ, ମହିଳା ପୁଲିସ ଅଫିସର୍ ଅମୃତପାଲ ସିଂହଙ୍କ ମା’ ଏବଂ ପତ୍ନୀଙ୍କ ସହ କଥା ହୋଇଥିଲେ।