ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ସହ ବ୍ଲାକ୍‌ମେଲ କରିବା ପାଇଁ ଭିଡିଓ ବନାଇଥିଲେ ସିନିୟର, ବର୍ଷେ ପରେ ସାମ୍ନାକୁ ଆସିଲା ଘଟଣା

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଏହାର ଭିଡ଼ିଓ ବନାଇ ବ୍ଲାକ୍‌ମେଲ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତାଙ୍କ ଉପର ଶ୍ରେଣୀ ଛାତ୍ର ତାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିବା ସହ ଏହାର ଭିଡ଼ିଓ କରି ବର୍ଷେ ପର୍ଯ୍ୟନ୍ତ ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ହୋଇଛି । ପ୍ରଥମେ ପୀଡ଼ିତା ଡ଼ରି ଏ ନେଇ ଅଭିଯୋଗ କରି ନଥିବା ବେଳେ ଏବେ ତାଙ୍କ ବାପା ଏ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି ।

TheLiveMirror

ସୂଚନା ମୁତାବକ, ଏ ଘଟଣାଟି ଘଟିଥିଲା ୨୦୧୭ ଫେବୃଆରିରେ । ପୀଡ଼ିତା କଲେଜର ଏକ ପାର୍ଟିକୁ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପର ଶ୍ରେଣୀର କିଛି ଛାତ୍ର ତାଙ୍କ ପାନୀୟରେ ନିଶା ମିଶାଇ ତାଙ୍କ ସହ ଗଣଦୁଷ୍କର୍ମ କରିବା ସହ ଭିଡ଼ିଓ ମଧ୍ୟ ବନାଇଥିଲେ । ପରେ ଏ ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ଦେଇ ଅଭିଯୁକ୍ତମାନେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ବାରମ୍ବାର ଅଭିଯୁକ୍ତମାନେ ଏପରି କରିବା ପରେ ପୀଡ଼ିତା କଲେଜ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଥିଲେ । ପୁଲିସକୁ ଜଣାଇବା ପରିବର୍ତ୍ତେ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତମାନଙ୍କୁ ଭିଡ଼ିଓ ଡ଼ିଲିଟ୍‌ କରିବାକୁ କହିବା ସହ ପୀଡ଼ିତାଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ । ସବୁ ଠିକ୍‌ ଚାଲିଥିବା ବେଳେ ଦୁଇ ମାସ ତଳେ ଜଣେ ଅଭିଯୁକ୍ତ ପୀଡ଼ିତାଙ୍କୁ ତାଙ୍କ ପାଖରେ ଭିଡ଼ିଓର ଆଉ ଏକ କପି ଅଛି ବୋଲି କହି ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ପୀଡ଼ିତା ନିଜ ଘରେ ଜଣାଇବା ପରେ ପୀଡ଼ିତାଙ୍କ ବାପା ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର