ଅନୁଗୁଳ: ବୁଧବାର ରାତିରେ ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ କନ୍ତପଡ଼ା ପଞ୍ଚାୟତର ରଇଦା ଗ୍ରାମରେ ଗୁଳିକାଣ୍ଡ ଯୋଗୁଁ ରତନୀ ପଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଅନାମ ପଧାନ ସାଙ୍ଘାତିକ ଆହତ ହୋଇଛନ୍ତି।

Advertisment

କୌଣସି କାରଣରୁ ଅନାମ ପଧାନ ଏବଂ ରବି ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ହୋଇଥିଲା। କ୍ରମେ ତାହା ଉଗ୍ର ରୂପ ଧରିବାରୁ ରବି ଭୋଇ ନିଜ ପାଖରେ ଥିବା ଏକ ଦେଶୀ ପିସ୍ତଲରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଠିକ୍‌ ଏତିକିବେଳେ ରବି ଓ ଅନାମଙ୍କ ମଝିକୁ ରତନୀ ଚାଲି ଆସିବାରୁ ତାଙ୍କ ଦେହରେ ଗୁଳିଚୋଟ ଲାଗିଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ମରିଯାଇଥିଲେ। ଗୁଳି ଚୋଟରେ ଅନାମ ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କର ଚିକିତ୍ସା କରାଇବାକୁ ଠାକୁରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଠାକୁରଗଡ଼ ପୁଲିସ ଆଜି ସକାଳୁ ସେ ଦୂରବର୍ତ୍ତୀ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି। ଆତତାୟୀ ରବି ଭୋଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ପ୍ରକାଶ।