ଭୁବନେଶ୍ୱର : ବଜ୍ରକାପ୍ତା ଚୋରା ଚାଲାଣ ର୍ୟାକେଟ୍ର ଜୋରଦାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏସ୍ଟିଏଫ ଆଜି ଅନ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ସୟଦ ଆଲ୍ଲାଉଦ୍ଦିନ୍। ଘର ଗଞ୍ଜାମର ସୋରଡ଼ାରେ। ପୂର୍ବରୁ ଏସ୍ଟିଏଫ୍ ଶ୍ୟାମସୁଦ୍ଦିନ୍ ଖାନ୍ ଓ ତାଙ୍କ ପୁଅ ଆଲ୍ଲାରୁଖ୍ ଖାନ୍କୁ ଗିରଫ କରି ସାରିଛି। ଶ୍ୟାମସୁଦ୍ଦିନ୍ ଏବେ ଏସ୍ଟିଏଫ୍ର ୬ ଦିନିଆ ରିମାଣ୍ଡରେ। ଶ୍ୟାମସୁଦ୍ଦିନ୍ଠାରୁ ଖବର ପାଇ ପୁଲିସ ଆଲ୍ଲାଉଦ୍ଦିନ୍କୁ ମଧ୍ୟ ଗିରଫ କରିଛି ବୋଲି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏସ୍ପି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।
ଏସ୍ଟିଏଫ୍ ମୁଖ୍ୟ ହିମାଂଶୁ ଲାଲଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଚାହିଦା ରହିଛି। ଗୋଟିଏ ଗୋଟିଏ ବଜ୍ରକାପ୍ତା ୫ରୁ ୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ। ଓଡ଼ିଶାର ନୟାଗଡ଼, ଖୋର୍ଧା, ଦଶପଲ୍ଲା, ଫୁଲବାଣୀ, ଗଞ୍ଜାମ ଆଦି ଜିଲ୍ଲାରେ ବଜ୍ରକାପ୍ତା ବହୁଳ ପରିମାଣରେ ଦେଖା ଦେଇଥାନ୍ତି। ଏଗୁଡ଼ିକୁ ଶିକାର କରି ଚୀନ, ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଦକ୍ଷିଣକୋରିଆ, ଥାଇଲାଣ୍ଡ ଭଳି ଦେଶକୁ ଚାଳାଣ ହୋଇଥାଏ। ବଜ୍ରକାପ୍ତାରୁ ଦାମୀ ଔଷଧ, ଗହଣା ଭଳି ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଖୁବ୍ ଶୀଘ୍ର ଏହି ର୍ୟାକେଟ୍ର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀ ଲାଲ କହିଛନ୍ତି।