ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଏକ ବଡ଼ ଦାବି କରିଛନ୍ତି। ବଲିଉଡ ଅଭିନେତ୍ରୀ ନୋରା ଫାତେହି ଏବଂ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସୁକେଶ ଏକ ଚିଠି ଲେଖିଛନ୍ତି। ସୁକେଶ କହିଛନ୍ତି ଯେ, ନୋରା ମୋତେ ଜାକଲିନଙ୍କୁ ଛାଡିବାକୁ କହୁଥିଲେ। ମୁଁ ମନା କରିବା ପରେ ମଧ୍ୟ ନୋରା ମୋତେ ହଇରାଣ କରୁଥିଲେ।
ସୁକେଶ ନିଜ ଚିଠିରେ ଲେଖିଛନ୍ତି ଯେ, ଜାକଲିନ୍ ଏବଂ ମୁଁ ପ୍ରେମ ସଂପର୍କରେ ଥିଲୁ। ଆମେ ଦୁହେଁ ଏହାକୁ ନେଇ ଖୁବ ଗମ୍ଭୀର ଥିଲୁ। ହେଲେ ମୁଁ ଜାକଲିନଙ୍କୁ ଭଲ ପାଉଥିବାରୁ ନୋରା, ଜାକଲିନଙ୍କୁ ଇର୍ଷା କରୁଥିଲେ। ଜାକଲିନଙ୍କଠାରୁ ଅଲଗା ହେବା ପାଇଁ ନୋରା ବାରମ୍ବାର ମୋତେ କହିବା ସହ ସବୁବେଳେ ତାଙ୍କ ବିରୋଧରେ କହୁଥିଲେ। ମୁଁ ଜାକଲିନଙ୍କୁ ଛାଡ଼ି ତାଙ୍କ ସହ ରହେ ବୋଲି ନୋରା ଚାହୁଁଥିଲେ। ନୋରା ଦିନକୁ ୧୦ଥର ମୋତେ କଲ କରୁଥିଲେ। ମୁଁ ଫୋନ ନଉଠାଇଲେ ମୋତେ ଫୋନ କରିବାକୁ ବାଧ୍ୟ କରୁଥିଲେ। ନୋରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଗରେ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି। ଏଥିରୁ ସେ ମିଛ କହୁଥିବା ଜଣାପଡ଼ିଛି। ମୋ ଠାରୁ ଦାମୀ କାର୍ ନେବାକୁ ଚାହୁଁନଥିଲେ ବୋଲି ନୋରା ଦେଇଥିବା ବୟାନ ମିଛ। ମୁଁ ଯେତେବେଳେ ତାଙ୍କୁ ଦାମୀ କାର୍ ଦେଇଥିଲି ସେତେବେଳେ ତାଙ୍କ ପାଖରେ ଦାମୀ କାର୍ ନଥିଲା। ଏଥିପାଇଁ ସେ ଆଉ ମୁଁ ଯାଇ କାର୍ ବାଛିଥିଲୁ।
ସୁକେଶ ଆହୁରି ଲେଖିଛନ୍ତି ଯେ ଅଭିନେତ୍ରୀ ନିକ୍କି ତମ୍ବୋଲି ଏବଂ ଚାହତ ଖାନ୍ନା କେବଳ ମୋର ବୃତ୍ତିଗତ ସହଯୋଗୀ ଥିଲେ ଏବଂ ମୋର ପ୍ରଯୋଜନା ସଂସ୍ଥା ସହ କାମ କରିବା ପାଇଁ ମୋ ସହ ଯୋଡି ହୋଇଥିଲେ।