ଚାକିରି ଜିଦ୍‌ କାଳ ହେଲା : ବୋହୂର ବେକକୁ ଖଣ୍ଡାରେ ହାଣିଲା ଶଶୁର

ଅଲଓ୍ଵାର : ପୁରୁଷମାନଙ୍କ ଭଳି ମହିଳାମାନଙ୍କୁ ସମାନ ସୁବିଧା ଦେବା ପାଇଁ ସରକାର ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ଆଜି ଅନେକ ସ୍ଥାନରେ ମହିଳାଙ୍କୁ ଘରେ ସାଜସଜ୍ଜାର ବସ୍ତୁ ବିବେଚନା କରାଯାଉଛି। ମହିଳାମାନେ ହେଉଛନ୍ତି ଘରର ସମ୍ମାନ । ସେମାନେ ବାହାରକୁ କାମ କରିବା ପାଇଁ ଗଲେ ଘରର ସମ୍ମାନ ହାନି ହୋଇଥାଏ । ଏଭଳି ରକ୍ଷଣଶୀଳ ଭାବନା ଆଜି ବି କିଛି ଲୋକ ସାଇତି ରଖିଛନ୍ତି । ଏଭଳି ଏକ ଚିନ୍ତାଧାରାର ଶିକାର ହୋଇଛନ୍ତି ରାଜସ୍ଥାନର ଅଲଓା୍ଵର ଜିଲ୍ଲାର ଶାହଜାହାନପୁରରେ ରହୁଥିବା ଉମା ରାଜ୍‌ପୁତ୍‌ ।
କାମ କରି ନିଜ ଗୋଡ଼ରେ ଛିଡ଼ା ହେବା ଏବଂ ଘର ଚଳାଇବାରେ ସ୍ୱାମୀଙ୍କୁ ସାହାଯ୍ୟ କରିବାର ଭାବନା ମନକୁ ଆଣିବା ତାଙ୍କୁ ପଡ଼ିଛି ମହଙ୍ଗା । ଶାହଜାହାନପୁରରେ ରହୁଥିବା ଉମା ରାଜପୁତ୍‌ କାମକୁ ବାହାରୁ ଥିବା ବେଳେ ଏହାକୁ ବିରୋଧ କରି ତାଙ୍କ ଶଶୁର ଉମାଙ୍କ ବେକ କାଟି ତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ଏହି ଘଟଣା ଘଟିବା ପରେ ପୁଲିସ ଅଭିଯୁକ୍ତ ମାମ୍‌ରାଜଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି ।

indiatimes.com

ସୂଚନା ମୁତାବକ, ଘର ଚଳାଇବା ପାଇଁ ଉମା ଏବଂ ତାଙ୍କ ସ୍ୱାମୀ ମୁକେଶ ରାଜପୁତ୍‌ ଏକ କମ୍ପାନିରେ କାମ କରୁଥିଲେ । କିନ୍ତୁ ରାଜ୍‌ପୁତ୍‌ ଘରର ବୋହୂ ବାହାରେ କାମ କରିବାଟା ପସନ୍ଦ କରୁ ନ ଥିଲେ ଉମାଙ୍କ ଶଶୁର ମାମ୍‌ରାଜ୍‌ । ଏଇ କଥାକୁ ନେଇ ଶଶୁର-ବୋହୂ ମଧ୍ୟରେ ଝଗଡ଼ା ହୋଇଥିଲେ ମଧ୍ୟ ଉମା ତାଙ୍କ କଥା ମାନି ନଥିଲେ । ଏଥିରେ ରାଗି ଯାଇ ଉମା କାମକୁ ଯାଉଥିବା ବେଳେ ବାଟରେ ଏକ ଖଣ୍ଡା ସାହାଯ୍ୟରେ ମାମ୍‌ରାଜ୍‌ ତାଙ୍କ ବେକକୁ ହାଣି ଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ଆଗକୁ ଆସି ତାଙ୍କୁ ସାହାଯ୍ୟ କରି ନଥିଲେ ।
ଫଳରେ ଅଧିକ ରକ୍ତସ୍ରାବ ହେତୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମାମ୍‌ରାଜ୍‌ ମୁକେଶଙ୍କ ବାପାଙ୍କ ବଡ଼ ଭାଇ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେ କିଛି କାମ କରୁ ନଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର