ଖଣ୍ଡଗିରି: ଫେବ୍ରୁଆରି ୧୩ ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ଚନ୍ଦକା ସିରିଜ୍ ଡକାୟତି ମାମଲାରେ ଭୁବନେଶ୍ୱର ସ୍ପେସାଲ୍ ସ୍କ୍ଵାଡ୍ ଓ ଚନ୍ଦକା ପୁଲିସକୁ ଆଉ ଏକ ସଫଳତା ମିଳିଛି। କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଏରାଗୋଲା ଗ୍ୟାଙ୍ଗ୍ର ଆଉ ୪ ଜଣ ଡକାୟତ ଓ ଜଣେ ଡକାୟତି ମାଲ୍ କିଣୁଥିବା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଯାଜପୁର ଡେରାବିଶ ଥାନା ବାଲିକୁଦା ପଡ଼ିଆର ଦୟା ଦାସ(୨୧), କେନ୍ଦ୍ରାପଡ଼ା ଆଳିରେ ରହୁଥିବା ଯାଜପୁର ବିଞ୍ଝାରପୁରର ମୁନା ଦାସ(୨୪), ଜଗତସିଂହପୁର ତିର୍ତ୍ତୋଲର ଆଲୋକ ଦାସ(୩୨), ଯାଜପୁର ରୋଡର ଦିଲ୍ଲୀପ ସାହୁ(୧୯) ଓ ଲୁଟ୍ ଗହଣା କିଣିଥିବା ବ୍ୟବସାୟୀ କେନ୍ଦ୍ରାପଡ଼ାର ଗିରିଧାରୀ ସାହୁ(୫୦)। ପୁଲିସ ଏମାନଙ୍କଠାରୁ ପ୍ରାୟ ୨୫୦ ଗ୍ରାମ୍ର ସୁନାଗହଣା ଓ ଏକ କେଜି ଓଜନର ରୁପା ଗହଣା ଜବତ କରିଛି। ପୂର୍ବରୁ ଗତ ୧୯ ତାରିଖରେ ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଜଗା ଦାସ, ବଳିଆ ଦାସ ଓ ଚଗଲା ଦାସକୁ ସ୍ପେସାଲ୍ ସ୍କ୍ଵାଡ୍ ଓ ଚନ୍ଦକା ଥାନା ପୁଲିସ ଗିରଫ କରି ଜେଲ୍ ହାଜତକୁ ପଠାଇ ସାରିଛି। ତେଣୁ ଚନ୍ଦକା ସିରିଜ୍ ଡକାୟତି ମାମଲାରେ ମୋଟ୍ ଗିରଫ ସଂଖ୍ୟା ୮ ହୋଇଥିବାବେଳେ ଏହି ମାମଲାରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଥିଲେ। ଏବେ ବି ବରୀ ଥାନା ଓ ଡେରାବିଶ ଥାନାରେ ଏହି ଗ୍ୟାଙ୍ଗ୍ ନାମରେ ଅନେକ ମାମଲା ରହିଛି। ଡେରାବିଶ ଥାନାରେ ଏକ ଜାମିନବିହୀନ ମାମଲା ଥିବାରୁ ପୁଲିସ ସେମାନଙ୍କୁ ଖୋଜୁଥିଲା। ତେଣୁ ଏହି ଗ୍ୟାଙ୍ଗ୍ କିଛି ଦିନ ହେଲା କେନ୍ଦ୍ରାପଡ଼ା ଓ ଯାଜପୁର ଛାଡ଼ି ଜଗତସିଂହପୁର ତିର୍ତୋଲ ଅଞ୍ଚଳରେ ଆଡ଼ା ଜମାଇଥିଲେ। କିନ୍ତୁ ସେ ଅଞ୍ଚଳରେ ଡକାୟତି ନ କରି ଏମାନେ କଟକ ସଦର ଓ ରାଜଧାନୀମୁହାଁ ହୋଇଥିଲେ। କେଳା ସମ୍ପ୍ରଦାୟର ଏହି ଯୁବକମାନଙ୍କ ପରିବାର ଲୋକେ ମାଟି କାମ ଓ ଘୁଷୁରି ବେପାର କରୁଥିବାବେଳେ ଏମାନେ ଡକାୟତି କରନ୍ତି। ଏମାନଙ୍କ ମୂଳ ଜନ୍ମମାଟି ଗଞ୍ଜାମ ଜିଲ୍ଲା ହୋଇଥିବାରୁ ସେ ଅଞ୍ଚଳର ଏରାଗୋଲା ଗ୍ୟାଙ୍ଗ୍ ସହ ଏମାନେ ସମ୍ପୃକ୍ତ। ଦିନରେ ଛଦ୍ମବେଶରେ ବୁଲି ବୁଲି ଘର ଠିକଣା କରିବା ପରେ ଏମାନେ ରାତିରେ ସେହି ସବୁ ଘରକୁ ଟାର୍ଗେଟ୍ କରନ୍ତି। ସାହି ବା ଗାଁ ମୁଣ୍ଡରେ ଥିବା ନିଛାଟିଆ ଦାମୀ ଘରକୁ ଟାର୍ଗେଟ୍ କରି ଏମାନେ ଡକାୟତି କରନ୍ତି। ଚନ୍ଦକା ସିରିଜ୍ ଡକାୟତି ମାମଲାରେ ଏରାଗୋଲା ଜଗାବଳିଆର ଏହି ଗ୍ୟାଙ୍ଗ୍ ବଡ଼ ଯୋଜନାବଦ୍ଧଭାବେ ସେମାନଙ୍କ ଲକ୍ଷ୍ୟ ହାସଲ କରିଥିଲେ। ନୌସେନା କର୍ମଚାରୀ ଦେବରାଜ ମାଝୀ ଅବସର ନେଇ ଗାଁକୁ ଫେରିବା ପରେ ଗାଁ ମୁଣ୍ଡରେ ନୂଆ ଘରଟିଏ କରିଥିଲେ ଓ ଏକକାଳୀନ ପୁଅ ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ। ମାର୍ଚ୍ଚ ୭/୮ରେ ବିବାହ ସମ୍ପନ୍ନ ହେବାର ଥିଲା। ତେଣୁ ସେ ଝିଅ ପାଇଁ ଅଳଙ୍କାର କିଣାକିଣି କରି ରଖିଥିଲେ ଓ ଟଙ୍କା ବି ରଖିଥିଲେ ବୋଲି ଏହି ଗ୍ୟାଙ୍ଗ୍ ଠଉରାଇଥିଲା। ପୂର୍ବରୁ ଜଗାବଳିଆ ଛଦ୍ମବେଶରେ କୁସନ୍ ବେପାରୀ ସାଜି ତାଙ୍କ ଘରକୁ ଯାଇ ସବୁ କିଛି ଠାବ କରିଥିଲେ।
ସେହିଭଳି ଛତାବର ଗାଁ ମୁଣ୍ଡରେ ଲକ୍ଷ୍ମଣ ମହାରଣାଙ୍କ ଘର ଥିଲା ଓ ସେ ତାଙ୍କ ପୁଅକୁ ଅଳ୍ପଦିନ ତଳେ ବିବାହ କରାଇଥିଲେ। ତେଣୁ ତାଙ୍କ ଘରୁ ମଧ୍ୟ ସୁନାଗହଣା ମିଳିବ ବୋଲି ସେମାନେ ଟାର୍ଗେଟ୍ କରିଥିଲେ। ଘଟଣାଦିନ ସେମାନେ ଦେବରାଜଙ୍କ ଘରେ ପଶି ପରିବାରର ସମସ୍ତଙ୍କୁ(ସ୍ତ୍ରୀ ଜେମାମଣି, ପୁଅ ଦିଲ୍ଲୀପ ଓ ଝିଅ ରଶ୍ମିତା) ମାଡ଼ ମାରି ଗୁରୁତର କରି ଡକାୟତି କରିଥିଲେ। ଦେବରାଜଙ୍କ ଘରୁ ନଗଦ ୫ ଲକ୍ଷ ଟଙ୍କା ସହ ପ୍ରାୟ ୧୫୦ ଗ୍ରାମ୍ ଓଜନର ସୁନା ଗହଣା ଏବଂ ଲକ୍ଷ୍ମଣଙ୍କ ଘରୁ ପ୍ରାୟ ୧୦ ଭରି ଓଜନର ସୁନା ଗହଣା ଲୁଟି ନେଇଥିଲେ। ରାଜଧାନୀ ଉପକଣ୍ଠରେ ଏଭଳି ବଡ଼ ଧରଣର ଡକାୟତି ମାମଲା କମିସନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ତେଣୁ ସ୍ପେସାଲ ସ୍କ୍ଵାଡ୍ ଓ ଚନ୍ଦକା ଥାନା ପୁଲିସ ଏହି ଗ୍ୟାଙ୍ଗ୍କୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲେ ବି ସଫଳତା ପାଇବା ଲାଗି ଗୋଟିଏ ମାସ ଲାଗି ଯାଇଥିଲା।