ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ ମାମଲାକୁ ନେଇ ସାରାରାଜ୍ୟ ଉଠିଥିଲା ପଡ଼ିଥିଲା। ଚର୍ଚ୍ଚା ହୋଇଥିଲା ଯେ, ଅର୍ଚ୍ଚନା ବଡ଼ବଡ଼ିଆଙ୍କୁ ଯୁବତୀ ଯୋଗାଇ କୋଟି କୋଟି ଟଙ୍କା ଅର୍ଥ ରୋଜଗାର କରୁଥିଲେ। ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଶିଳ୍ପପତି, ବରିଷ୍ଠ ଅଧିକାରୀ, ପୁଲିସ ଭଳି ପ୍ରଭାବଶାଳୀ ତାଙ୍କ ମାୟା ଜାଲରେ ଛନ୍ଦି ହୋଇଛନ୍ତି। ସେମାନଙ୍କ ଅର୍ଥରେ ଅର୍ଚ୍ଚନା ଆଲିସାନ ଘର, ଦମୀଗାଡ଼ି ସାଙ୍ଗକୁ ରାଜକୀୟ ଠାଣିରେ ଚଳୁଥିଲେ। ଠିକ୍‌ ସମୟରେ ବଡ଼ ବଡ଼ିଆ ଟଙ୍କା ନଦେଲେ ସେ ଭିଡିଓ, ଫଟୋ ପଠାଇ ବ୍ଲାକ୍‌ମେଲ୍‌ କରୁଥିଲେ। ଏଥିପାଇଁ କାଳେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଟ୍ରମ୍ପକାର୍ଡ ବନାଇଥିଲେ। ତାଙ୍କୁ ବ୍ୟବହାର କରି ଟଙ୍କା ଆଦାୟ କରୁଥିଲେ। ବ୍ଲାକମେଲିଂର ଶିକାର ହୋଇଥିବା ପ୍ରଯୋଜକ ଅକ୍ଷୟ ପରିଜା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପରେ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ପରେ ପୁଲିସ ଅର୍ଚ୍ଚନା, ଜଗବନ୍ଧୁ ସହଯୋଗୀ ଖଗେଶ୍ବରକୁ ଗିରଫ କରିଥିଲା। ଖୋଳତାଢ଼ କରି ଅନେକ ତଥ୍ୟ ହାତେଇ ଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ରାଜ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ ଗଲା। ଇଡି ମଧ୍ୟ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣିଲା। ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସମେତ ୧୦ରୁ ଅଧିକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ଼ାକି ମୁହାଁ ମୁହିଁ ଜେରା କଲା। ଅର୍ଚ୍ଚନାଙ୍କ ଡାଏରି, ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଡିଜିଟାଲ୍‌ ତଥ୍ୟ ହାତେଇଲା। ଏମିତିକି ଅର୍ଚ୍ଚନା ବି ଗଣାମଧ୍ୟମରେ କହିଲେ ମୋ ପାଖରେ ଯେଉଁ ତଥ୍ୟ ଅଛି ମୁହଁ ଖୋଲିଲେ ସାରା ରାଜ୍ୟ ଦୋହଲି ଯିବ। ଅର୍ଚ୍ଚନାଙ୍କୁ ସମୟ ମିଳିଥିଲେ ବି ନା ସେ ମୁହଁ ଖୋଲିଲେ ନା ପୁଲିସ ନା ଇଡି ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚିପାରିଲେ। ଫଳରେ କେଉଁ ନେତା, ମନ୍ତ୍ରୀ ବଡ଼ ବଡ଼ିଆ ଅଛନ୍ତି? ତାହା ଏବେ‌ ବି ଅସ୍ପଷ୍ଟ ରହିଛି।

Advertisment

publive-image

ଅନ୍ଧାରରେ ଆତ୍ମହତ୍ୟା!
ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଉପକାରଗାରରେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଯୌନ କେଳେଙ୍କାରୀକୁ ଲୁଚାଇବାକୁ ଯାଇ ଗତବର୍ଷ ଅକ୍ଟୋବର ୮ରେ ମହାଲିଙ୍ଗ ସ୍କୁଲ ପଡିଆରେ ମମିତାଙ୍କୁ ହତ୍ୟା କରାଯାଇଥିଲା। ଚର୍ଚ୍ଚା ହୋଇଥିଲା ଯେ, ଗୋବିନ୍ଦ ସ୍କୁଲ୍‌ରେ ବଡ଼ବଡ଼ିଆଙ୍କୁ ଝିଅ ଯୋଗାଉଥିଲେ। ତତ୍କାଳିନ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦଙ୍କ ଘନିଷ୍ଠତା ଥିବାରୁ ଅନ୍ୟ ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତି କଥା ଉଠିଥିଲା। ଯାହାକି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ମମଲାରେ ପୁଲିସ ଗୋବିନ୍ଦକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କ କଥା ଲୁଚିଯାଇଥିଲା। ଜେଲ୍‌ରେ ଥିବା ଗୋବିନ୍ଦ ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ହେଉଥିଲେ। ମାମଲାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ପୁଲିସ ପୂର୍ବରୁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ଶୁଣାଣି ସରିଥିଲା। ମମିତାଙ୍କ ପରିବାର ଲୋକ ମଧ୍ୟ ସାକ୍ଷ୍ୟ ଦେଇସାରିଥିଲେ। ଯେଉଁଦିନ ଗୋବିନ୍ଦ କୋର୍ଟରେ ହାଜର ହୋଇଥାଆନ୍ତେ ସେହିଦିନ ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଯାଉଥିଲେ ମଧ୍ୟ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ ଆଣିଛନ୍ତି। ଗୋବିନ୍ଦଙ୍କ ମୃତ୍ୟୁର କାରଣ ସହ ମମିତାଙ୍କ ହତ୍ୟାକାଣ୍ଡ ପଛରର ସମସ୍ତ କାରଣ ଏବେ ରହସ୍ୟ ଘେରକୁ ଚାଲିଯାଇଛି।

publive-image

ଭିଜିଲାନ୍ସର ସର୍ବକାଳୀନ ରେକର୍ଡ: ୧୬୦ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ
ଚଳିତ ବର୍ଷ ଭିଜିଲାନ୍ସ ଚଢ଼ଉ ବେଳେ ୧୬୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏହା ସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଯାହାକି ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ। ପୂର୍ବରୁ ଏତେ ପରିମାଣର ଟଙ୍କା କେବେ ଜବତ ‌ହୋଇ ନଥିଲା। କେବଳ ଏତିକି ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଜନିତ ମାମଲା ହୋଇଥିବା ବେଳେ ୧୧୪ଟି ଲାଞ୍ଚ ନେବା ମାମଲା। ବଡ଼ କଥା ହେଉଛି ଏହି ବର୍ଷ ୬୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଯାହା ଗତ ୫ ବର୍ଷ ମଧ୍ୟରେ ପ୍ରଥମ। ସେହିପରି ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ମଧ୍ୟ ରେକର୍ଡ କରିଛି। ଚଳିତ ବର୍ଷ ୮୭ ଜଣଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇଛି। ଯାହାକି ମାମଲାର ୫୦ ପ୍ରତିଶତ।

publive-image

ଚର୍ଚ୍ଚିତ ୪ ଦୁର୍ନୀତିଖୋର କୋଟିପତି ଅଧିକାରୀ
ଭିଜିଲାନ୍ସର ନଗଦ ଟଙ୍କା ଜବତ ନେଇ ୪ ଦୁର୍ନୀତିଖୋରଙ୍କ ନାଁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଗଞ୍ଜାମ ଭଞ୍ଜନଗର କ୍ଷୁଦ୍ର ଜଳସେଚନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଠାରୁ ନଗଦ ୩କୋଟି ୪୧ଲକ୍ଷ ୬୬ହଜାର ଟଙ୍କା ଜବତ କରାଯାଇଥିବା ବେଳେ ପଛକୁ ମାଲକାନଗିରି ଗ୍ରାମ୍ୟଉନ୍ନୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ଠାରୁ ଏକ କୋଟି ୪୦ଲକ୍ଷ ୧୮ହଜାର, ପୁରୀ ଜିଲ୍ଲା ଚାରିଛକ ଗୋ‌ଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସ୍ତ୍ରୀ ଓ ପ୍ରସୂତୀରୋଗ ବିଶେଷଜ୍ଞ ସୁକାନ୍ତ ଜେନାଙ୍କ ଠାରୁ ଏକ କୋଟି ୧୩ଲକ୍ଷ ଟଙ୍କା ଏବଂ ଇଡ୍‌କଲ୍‌ ଜେଏମ୍‌ ଗୟା ସାନ୍ତରାଙ୍କ ଠାରୁ ଏକ କୋଟି ୬ଲକ୍ଷ ୪୪ହଜାର ଟଙ୍କା ଜବତ ହୋଇଥିଲା।