ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୨ ବର୍ଷୀୟ ସ୍ଥପତି ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଭରତ କୁମାର ସୈନି ବୋଲି ଚିହ୍ନଟ କରାଯାଇଛି। ଆତ୍ମହତ୍ୟା କରିବା ପୂର୍ବରୁ ଭରତ ଏକ ସୁଇସାଇଡ ନୋଟ ମଧ୍ୟ ଛାଡିଥିଲେ, ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ) ଅଧିକାରୀ ଏବଂ ତାଙ୍କ ସ୍ୱାମୀଙ୍କୁ ଦାୟୀ କରିଛନ୍ତି।

Advertisment

ଏହି ଘଟଣାଟି ଜୟପୁରର ସିରସି ରୋଡରେ ଅବସ୍ଥିତ ଏକ ହାଉସିଂ ସୋସାଇଟିରେ ଘଟିଛି। ଅଭିଯୁକ୍ତ ଦମ୍ପତିଙ୍କର ଏଠାରେ ଏକ ଫ୍ଲାଟ୍ ମଧ୍ୟ ଅଛି। ପୁଲିସର କହିବା ଅନୁଯାୟୀ, ଭରତ କୁମାର ଫ୍ଲାଟର ଭିତରର ସାଜସଜ୍ଜା(ଇଣ୍ଟେରିୟର) ଏବଂ ନିର୍ମାଣ ପାଇଁ ଠିକା ନେଇଥିଲେ, ଯାହାର ମୋଟ ମୂଲ୍ୟ ୩୯.୬୦ ଲକ୍ଷ ଟଙ୍କା ହେବ। କିନ୍ତୁ ଏପର୍ଯ୍ୟନ୍ତ ଭରତଙ୍କୁ କେବଳ ୨୧ଲକ୍ଷ ଟଙ୍କା ଦେଇଥିଲେ ଅଭିଯୁକ୍ତ ଦମ୍ପତି। ଏହି କାରଣରୁ ଭରତ ଚିନ୍ତିତ ଥିଲେ। ବିକ୍ରେତାମାନେ ତାଙ୍କ ଉପରେ ଟଙ୍କା ପାଇଁ ଲଗାତାର ଚାପ ପକାଉଥିଲେ। ଏଥିପାଇଁ ସେ ଆରଏଏସ ଅଧିକାରୀ ଏବଂ ତାଙ୍କ ସ୍ୱାମୀଙ୍କଠାରୁ ବାକି ଟଙ୍କା ମାଗିଥିଲେ। କିନ୍ତୁ ଦମ୍ପତି କେବଳ ୧ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ, ଯାହା ଫଳରେ ସେ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ପରଦିନ, ଶୁକ୍ରବାର, ସେ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଏବେ ନ୍ୟାୟ ଦାବିରେ ପରିବାର ଲୋକେ ଭରତଙ୍କ ମୃତଦେହ ନେବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।