ମଝି ମାର୍କେଟରେ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ବିହାରର ଭାଗଲପୁରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୁଲିସ।

ସୂଚନାଯୋଗ୍ୟ, ମହିଳା ମାର୍କେଟିଂ କରିବାକୁ ଯାଇଥିଲେ। ଏହି ସମୟରେ ସକିଲ ମିୟା ନାମକ ଜଣେ ଅଭିଯୁକ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଧାରୁଆ ଅସ୍ତ୍ରକୁ ଗାମୁଛାରେ ଲୁଚାଇ ଆଣିଥିଲେ। ଦେଖୁଦେଖୁ ସେ ମହିଳାଙ୍କ ଉପରେ ଆକ୍ରମଣ କରି ହାତ, ଗୋଡ଼ ଓ କାନକୁ କାଟି ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଘଟିବା ସମୟରେ ମାର୍କେଟରେ ଥିବା ଲୋକମାନେ ପୁଲିସ ଓ ଉକ୍ତ ମହିଳାଙ୍କ ସ୍ବାମୀ ଅଶୋକ ଯାଦବଙ୍କୁ ଖବର ଦେଇଥିଲେ।

ଗୁରୁତର ଥିବା ବେଳେ ମହିଳା ଆକ୍ରମଣକାରୀଙ୍କ ନାମ କହିଥିଲେ। ଫଳରେ ଘଟଣାସ୍ଥଳରେ ଯେଉଁମାନେ ଥିଲେ ତାଙ୍କ କଥାକୁ ରେକର୍ଡ କରି ଦେଇଥିଲେ। ଏହାକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର