ସହକର୍ମୀଙ୍କ ପତ୍ନୀଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନକୁ ବିରୋଧ କରି ସେନା ଯବାନ ନିହତ

ବରେଲି: ଜଣେ ସହ କର୍ମୀଙ୍କ ପତ୍ନୀଙ୍କ ପ୍ରତି କରାଯାଉଥିବା ଯୌନ ଉତ୍ପୀଡ଼ନକୁ ବିରୋଧ କରିବାରୁ ବରେଲିର କ୍ୟାଣ୍ଟ୍‌ନମେଣ୍ଟ୍‌ ଅଞ୍ଚଳ ଅନ୍ତର୍ଗତ ଏକ ବଜାରରେ ସର୍ବସାଧାରଣଙ୍କ ସମ୍ମୁଖରେ ସେନାବାହୀନିର ଜଣେ ଯବାନଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।

ଧ୍ରୁବ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଲାନ୍‌ସ୍‌ ନଇକ୍‌ ଅନୀଲ କୁମାରଙ୍କୁ ବିଆଇ ବଜାରରେ ଗୁଳି ମାରିଛନ୍ତି। ଉଭୟ କ୍ୟାଣ୍ଟନ୍‌ମେଣ୍ଟ୍‌ ବେସାମରିକ ଅଞ୍ଚଳର ସଦର ବଜାର ଅନ୍ତର୍ଗତ କୋରି ମୋହଲ୍ଲାର ବାସିନ୍ଦା। ଅନୀଲଙ୍କୁ ତୁରନ୍ତ ସେନାବାହୀନିର ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଧ୍ରୁବଙ୍କ ଭାଇ ରାଜେଶ ଜଣେ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ସେ ମହିଳା ଜଣକ ହେଉଛନ୍ତି ଅନୀଲଙ୍କ ସୁପରିଚିତ ସେନାବାହୀନିର ଜଣେ ସୁବେଦାରଙ୍କ ପତ୍ନୀ। ନିକଟରେ ସୁବେଦାରଙ୍କର ଅରୁଣାଚଳ ପ୍ରଦେଶକୁ ବଦଳି ହୋଇ ଯାଇଥିଲା ବେଳେ ତାଙ୍କ ପରିବାର ଏଠାରେ ଏକ ଭଡ଼ା ଘରେ ରହୁଛନ୍ତି। ସପ୍ତାହେ ତଳେ, ତାଙ୍କ ପତ୍ନୀ ସଉଦାପତ୍ର କିଣିବା ବେଳେ ରାଜେଶ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ସେ ଫୋନ୍‌ ଯୋଗେ ସ୍ୱାମୀଙ୍କୁ ଏ କଥା ଜଣାଇଥିଲେ।

ସୁବେଦାର ଅନୀଲଙ୍କୁ ଏ ସମ୍ପର୍କରେ କହିଲେ। ଦୁଇ ଦିନ ତଳେ ଅନୀଲ ରାଜେଶଙ୍କ ଘରକୁ ଯାଇଥିଲେ କିନ୍ତୁ, ସେ ନ ଥିଲେ। ବୁଧବାର ଦିନ ଅନୀଲ ପୁଣି ରାଜେଶଙ୍କ ଘରକୁ ଯାଇ ବନ୍ଧୁପତ୍ନୀଙ୍କୁ ହଇରାଣ ନ କରିବାକୁ ଚେତାବନୀ ଦେଇ ଆସିଲେ। ରାଜେଶ ଏ କଥା ଫୋନ୍‌ ଯୋଗେ ତାଙ୍କ ଭାଇଙ୍କୁ ଜଣାଇଲେ। ଅନୀଲ ଅଧବାଟରେ ହୋଇଛନ୍ତି ବଜାରରେ ଧ୍ରୁବ ତାଙ୍କୁ ଦେଖିଲେ। ତାଙ୍କୁ ଗାଳିମନ୍ଦ ଦେଇ ଦୁଇ ରାଉଣ୍ଡ୍‌ ଗୁଳି ଚଳାଇଲେ।
ହତ୍ୟାକାଣ୍ଡ ପରେ ଆତ୍ମସମର୍ପଣ ପାଇଁ ଧ୍ରୁବ କୋଟଓ୍ଵାଲି ଥାନାରେ ପହଞ୍ଚିଲେ। ତାଙ୍କ ପାଖରୁ ପୁଲିସ ଗୋଟାଏ ଦେଶୀ ପିସ୍ତଲ ଜବତ କରିଛି। ଜାଟ୍‌ ରେଜିମେଣ୍ଟ୍‌ର ସୁବେଦାର ରାଜେଶ କୁମାରଙ୍କ ଦ୍ୱାରା ଅଭିଯୋଗ ଦାଏର୍‌ କରାଯିବା ପରେ ପୁଲିସ ଧ୍ରୁବଙ୍କ ବିରୋଧରେ ଏଫ୍‌ଆଇଆର୍‌ ଲଜ୍‌ କରିଛି।

ଅନୀଲଙ୍କ ଘର ଉତ୍ତରାଖଣ୍ଡର ଖାତିମା ଠାରେ। ସେଠାରେ ତାଙ୍କର ପତ୍ନୀ ଓ ତୃତୀୟ ଏବଂ ଷଷ୍ଠରେ ପଢୁଥିବା ଦୁଇଟି ପିଲା ଅଛନ୍ତି। ହତ୍ୟାକାଣ୍ଡ ପରେ ବଜାରରେ ସବୁ ଦୋକାନର ସଟର୍‌ ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର