ଆର୍ମି ମେଜର୍‌ଙ୍କ ପତ୍ନୀ ହତ୍ୟା, ଅନ୍ୟ ଜଣେ ମେଜରଙ୍କୁ ସନ୍ଦେହ

ନୂଆଦିଲ୍ଲୀ: ଶନିବାର ଅପରାହ୍ଣରେ ପଶ୍ଚିମ ଦିଲ୍ଲୀସ୍ଥିତ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ ମେଟ୍ରୋ ଷ୍ଟେସନ୍‌ ନିକଟ ରାସ୍ତାରେ ଭାରତୀୟ ସେନାବାହିନୀର ଜଣେ ମେଜର୍‌ଙ୍କ ପତ୍ନୀଙ୍କ ଗଳାକଟା ଶବ ଉଦ୍ଧାର କରାଯାଇଛି। ଶୈଳଜା ଦ୍ୱିବେଦୀ ନାମ୍ନୀ ସେ ମୃତ ମହିଳାଙ୍କ ଶବ ଉପରେ ଏକାଧିକ ବାର କାର୍‌ ଚାପା ଦେଇ ଚାଲିଯାଇଥିବା ଜଣାପଡ଼ିଛି।

ଏ ଘଟଣାରେ ପୁଲିସ ସେନାବହିନୀର ଆଉ ଜଣେ ମେଜର୍‌ଙ୍କୁ ସନ୍ଦେହ କରୁଛି। ସେ ଉକ୍ତ ଦମ୍ପତିଙ୍କର ବନ୍ଧୁ ଏବଂ କୌଣସି ଗୁପ୍ତ କଥା ଯୋଗୁଁ ସେମାନଙ୍କ ସହ ତାଙ୍କର ବିବାଦ ହୋଇଥିଲା। ତାଙ୍କୁ ଠାବ କରାଯାଇ ପାରୁ ନାହିଁ ଏବଂ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଛି।

ଯୁଗ୍ମ କମିସନର୍‌ ମଧୁପ ତିଓ୍ଵାରି କହିଛନ୍ତି ଯେ ପୁଲିସକୁ ବଳିଷ୍ଠ ସୂଚନା ମିଳଛି। ପ୍ରାଥମିକ ସୂଚନା ମିଳିଥିଲା ଏହା ଏକ ଦୁର୍ଘଟନା ବୋଲି କିନ୍ତୁ ତଦନ୍ତରୁ ଏହା ନରହତ୍ୟା ବୋଲି ଜଣାପଡ଼ିଛି।

ଘଟନାକ୍ରମରୁ ପୁଲିସ ଜାଣିବାକୁ ପାଇଛି ଯେ ଫିଜିଓ ଥେରାପି ଚିକିତ୍ସା ହେବା ପାଇଁ ଶୈଳଜା ସକାଳ ପ୍ରାୟ ୧୦ଟା ବେଳେ ଘରୁ ଏକ ସେନା ଗାଡ଼ିରେ ବେସ୍‌ ହସ୍‌ପିଟାଲ୍‌କୁ ବାହାରିଥିଲେ। ପରେ ଡ୍ରାଇଭର୍‌ ସେଠାରୁ ତାଙ୍କୁ ଆଣିବାକୁ ଗଲା ବେଳେ ଜଣାପଡ଼ିଲା ସେ ଚିକିତ୍ସିତ ହେବାକୁ ଯାଇ ନ ଥିଲେ। ତେଣୁ ଡ୍ରାଇଭର୍‌ ପରେଡ୍‌ ଗ୍ରାଉଣ୍ଡ୍‌ ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାମୀଙ୍କୁ ସୂଚନା ଦେଲା। ସ୍ୱାମୀ ମେଜର୍‌ ଅମିତ ଦ୍ୱିବେଦୀ ଖୋଜାଖୋଜି ଆରମ୍ଭ କଲେ।

ଅପରାହ୍ଣ ୧ଟା ୨୮ ମିନିଟ୍‌ରେ ବ୍ରାର୍‌ ଛକରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦେଖି ପୁଲିସ ଡକାଇ ଥିଲେ। ଅଳ୍ପ କେତେ ଘଣ୍ଟା ଧରି ଶବ ଚିହ୍ନଟ ହୋଇ ପାରି ନ ଥିଲା। ପ୍ରାୟ ସାଢ଼େ ଚାରିଟା ବେଳକୁ ମେଜର୍‌ ଅମିତ ଦ୍ୱିବେଦୀ ନରୈନା ଥାନାରେ ପହଞ୍ଚି ପତ୍ନୀ ନିରୁଦ୍ଦେଶ ଥିବା କଥା ଅଭିଯୋଗ କଲେ। ପରେ ସେ ପତ୍ନୀଙ୍କ ଶବକୁ ଚିହ୍ନଟ କରିଥିଲେ।

ପୁଲିସ କହୁଛି, ଶୈଳଜା ହସ୍‌ପିଟାଲ୍‌ ଦୁଆରେ ଓହ୍ଲାଇଥିଲେ କିନ୍ତୁ, ହସ୍‌ପିଟାଲ୍‌ ଭିତରକୁ ନ ଯାଇ ଅନ୍ୟ ଏକ ଗାଡ଼ି ଧରି ସେଠାରୁ ପଳାଇ ଥିଲେ। ମନେହୁଏ କେହି ଜଣେ ପରିଚିତ ବ୍ୟକ୍ତି ତାଙ୍କୁ କୌଣସି ସ୍ଥାନକୁ ନେଇ ହତ୍ୟା କରିଛନ୍ତି। ସମ୍ଭବତଃ କୌଣସି ଏକ ଗାଡ଼ିରେ।

ହତ୍ୟାକାରୀ ବୋଧହୁଏ ପଛୁଆ କାର୍‌ ଚଳାଇ ବା ସାମ୍ନାସାମ୍ନି ଧକ୍କା ଦେଇ ତାଙ୍କୁ ଗାଡ଼ି ଚାପା ଦେଇଛନ୍ତି।

ତାଙ୍କୁ କେହି ହଇରାଣ କି, ଅନୁସରଣ କରୁଥିଲେ ସେ ସଂକ୍ରାନ୍ତ ସୂଚନା ହାସଲ କରିବାକୁ ଶୈଳଜାଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଉଛି। ପୀଡ଼ିତାଙ୍କ ସ୍ୱାମୀ ଏବେ ନାଗାଲାଣ୍ଡର ୧୧, ଜଲ୍‌କି ୟୁନିଟ୍‌ରେ ଅବସ୍ଥାପିତ। ଶୈଳଜା ଛଅ ବର୍ଷର ପୁଅ ସହ ବାସ କରୁଥିଲେ।

ଦୁଇ ମାସ ତଳେ ସେମାନେ ଦିଲ୍ଲୀ ଆସିଥିଲେ। ସେଠାରୁ ଡେପ୍ୟୁଟେସନ୍‌ରେ ସୁଦାନରୁ ଦୁଇ ସପ୍ତାହ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଥାଆନ୍ତେ।
ପୁଲିସ କହୁଛି ନାଗାଲାଣ୍ଡ୍‌ରେ ହସ୍‌ପିଟାଲ୍‌ ପାଖରେ ଥିବା ସିସିଟିଭି ଫୁଟେଜ୍‌ରୁ ସନ୍ଦିଗ୍ଧଙ୍କ ସହ ଶୈଳଜାଙ୍କ ସାକ୍ଷାତ୍‌ ହୋଇଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର