ହରିଆନାର ସିବିଏସଇ ଟପ୍ପର ଗଣ ଦୁଷ୍କର୍ମ ମାମଲା, ସେନା ଯବାନ ସହିତ ସମସ୍ତ ୫ ଅଭିଯୁକ୍ତ ଗିରଫ

ରେଓ୍ଵାଡ଼ି: ହରିଆନାର ସିବିଏସଇ ଟପ୍ପର ଗଣ ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତ ଜଣେ ସେନା ଯବାନ ସହିତ ଅନ୍ୟଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଶୁ ସହିତ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଜଘନ୍ୟ ଘଟଣାରେ ସମ୍ପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ହରିଆନାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀକାନ୍ତ ଯାଦବ କହିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚଳିତ ସେପ୍ଟମ୍ବର ମାସ ୧୨ ତାରିଖ ଦିନ ମହେନ୍ଦ୍ରଗଡ଼ ଜିଲ୍ଲାର କନିନା ସହରର ଜଣେ ୨୦ ବର୍ଷୀୟା ଛାତ୍ରୀ ଟ୍ୟୁସନ ଯାଉଥିିବା ବେଳେ ତାଙ୍କ ଅଞ୍ଚଳର କେତେକ ଯୁବକ ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ଏହି ପାଣି ପିଇବା ପରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ଯୁବକମାନେ ତାଙ୍କୁ ନିକଟସ୍ଥ ଏକ ଫାର୍ମ ହାଉସ ଭିତରେ ଗଣ ଦୁଷ୍କର୍ମ କରିଥିଲେ ଓ ପରେ ତାଙ୍କୁ ବସଷ୍ଟାଣ୍ଡ ନିକଟରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ।। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିଶୁ ସହିତ ଜଣେ ଡାକ୍ତର ଓ ଯେଉଁ ଘରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିଲା ସେହି ଘର ମାଲିକଙ୍କୁ ପୁଲିସ ଗିରଫ କରି ସାରିଥିଲା। ଅନ୍ୟ ଦୁଇଜଣ ଅଭିଯୁକ୍ତ ସେନା ଯବାନ ପଙ୍କଜ ଓ ଅନ୍ୟ ଜଣେ ଯୁବକ ମନୀଷ ସେହି ଦିନରୁ ଫେରାର ଥିଲେ। ତାଙ୍କୁ ଏହି ଘଟଣାର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌( ଏସଆଇଟି) ଗିରଫ କରିଥିବା ଏଡିଜି ଶ୍ରୀ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର