ଖଣ୍ଡଗିରି: ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦକା ବନ ବିଭାଗ ହାତରେ ଗିରଫ ହୋଇଛି ମୋଷ୍ଟ ଓ୍ଵାଣ୍ଟେଡ୍ ଶିକାରୀ ଖଣ୍ଡି ସର୍ଦାର। ସେ ହେଲା ଚନ୍ଦକାରୁ ଆସି ସୁନ୍ଦରପୁରରେ ରହୁଥିବା ବିଷ୍ଣୁଚରଣ ପ୍ରଧାନ ଓରଫ୍ ଖଣ୍ଡି(୪୫)। ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର ପାଇଁ ଘୁରି ବୁଲୁଥିବାବେଳେ ଖଣ୍ଡି ବନ ବିଭାଗ ହାବୁଡ଼ରେ ପଡ଼ିଯାଇଛି। ଗୁଳି ଭର୍ତି ବନ୍ଧୁକ ସହ ତାକୁ ବନ କର୍ମଚାରୀମାନେ ମାଡ଼ି ବସିଛନ୍ତି। ତା’ର ୨ ସହଯୋଗୀ ଫେରାର୍ ହୋଇଯିବାରେ ସକ୍ଷମ ହୋଇଛନ୍ତି। ଖଣ୍ଡିର ସୂଚନାନୁସାରେ ସେମାନେ ହେଲେ ଚନ୍ଦକା ହେଯାଗୀ ସାହିର ଅଜୁ ଓ ଚଗଲା। ବୁଧବାର ଅଦାଲତରେ ଜାମିନ୍ ନାମଞ୍ଜୁର ହେବାରୁ ଖଣ୍ଡିକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ସମୟରେ ଭୁବନେଶ୍ୱର ରେଂଜ୍ର କିଛି ଫରେଷ୍ଟର ଓ ଶିକାର ନିରୋଧୀ ସ୍କ୍ଵାଡ୍ର ସଦସ୍ୟମାନେ ଭରତପୁର ସଂରକ୍ଷିତ ଜଙ୍ଗଲର ଜଗନ୍ନାଥପ୍ରସାଦ ଅଞ୍ଚଳରେ ବୁଲୁଥିଲେ। ଅବଶ୍ୟ ଖଣ୍ଡି ଗ୍ୟାଙ୍ଗ୍ ଜଙ୍ଗଲରେ ପଶିଥିବା ନେଇ ସେମାନଙ୍କ ନିକଟରେ ଖବର ଥିଲା। କିନ୍ତୁ ଧୂର୍ତ ଖଣ୍ଡିକୁ ସହଜରେ ଯେ ଧରି ହେବ, ଏ ବିଶ୍ୱାସ ସେମାନଙ୍କର ନଥିଲା। ଖଣ୍ଡିର ଦୁର୍ଭାଗ୍ୟ ସେମାନଙ୍କ ହାବୁଡ଼ରେ ପଡ଼ିଗଲା। ବନ କର୍ମଚାରୀମାନଙ୍କୁ ଦେଖି ଖଣ୍ଡି ଓ ତା’ର ଦୁଇ ସହଯୋଗୀ ଦୌଡ଼ିବାକୁ ଲାଗିଲେ ଓ ବନ କର୍ମଚାରୀମାନେ ସେମାନଙ୍କୁ ଗୋଡ଼ାଇଥିଲେ। ଖଣ୍ଡି ପ୍ରଥମେ ତା’ର ଦୁଇ ସହଯୋଗୀଙ୍କୁ ପାଚେରି ଡିଅାଁଇ ଦେଇଥିଲା। କିନ୍ତୁ ନିଜେ ପାଚେରି ଡେଇଁଲାବେଳକୁ ବନ କର୍ମଚାରୀମାନେ ତାକୁ ମାଡ଼ି ବସିଥିଲେ। ହାତରେ ଗୁଳି ଭର୍ତି ବନ୍ଧୁକ ଥିବାରୁ ତୁରନ୍ତ ବନ କର୍ମଚାରୀମାନେ ବନ୍ଧୁକ ନଳୀରେ ପାଣି ପୁରାଇ ଦେଇଥିଲେ। ଫରେଷ୍ଟର ସମୀର ବେହେରା, ସୌମ୍ୟରଂଜନ ବେଉରା, ଗାର୍ଡ଼ ଆଦିତ୍ୟ ହାତୀ, ଶିକାର ନିରୋଧୀ ସ୍କ୍ଵାଡ୍ ହୃଷିକେଶ ଭୁଜବଳ, ବାପି ପରିଡ଼ା, ମିଟୁ ପରିଡ଼ା ଓ ପ୍ରକାଶ ପରିଡ଼ା ପ୍ରମୁଖ ଖଣ୍ଡିକୁ ଧରିଥିଲେ।
ଖଣ୍ଡିଆ ହାତରେ ବନ୍ଧୁକ ଚଳାଏ ଖଣ୍ଡି
ଖଣ୍ଡି ସର୍ଦାର ବହୁ ପୁରୁଣା ଓ ପୋଖତ ଶିକାରୀ। ବନ୍ଧୁକ ଚାଳନାରେ ସେ ବେଶ୍ ଓସ୍ତାଦ୍। ଏକଦା ବନ୍ଧୁକ ଗୋଳାବାରୁଦ ବିସ୍ଫୋରଣରେ ତା’ର ଦୁଇ ହାତ ନଷ୍ଟ ହୋଇ ଯାଇଥିଲେ ବି ଶିକାର ନିଶା ଛାଡ଼ିନଥିଲା ଖଣ୍ଡି। ଖଣ୍ଡିଆ ହାତରେ ବି ସେ ବନ୍ଧୁକ ଚାଳନା କରି ପଶୁ ଶିକାର କରୁଥିଲା। ବଡ଼ ବିଚିତ୍ର ତଥା ଆଶ୍ଚର୍ଯ୍ୟଜନକଭାବେ କାଖ ତଳେ ବନ୍ଧୁକ ରଖି ସେ ଅନ୍ୟ ଖଣ୍ଡିଆ ହାତରେ ବି ବନ୍ଧୁକ ଟ୍ରିଗର୍ ଚଳାଇ ପାରେ। ହାତ ଭଲ ଥିବାବେଳେ ଲକ୍ଷ୍ୟ ଯେମିତି ଠିକ୍ ଥିଲା, ଖଣ୍ଡି ହେବା ପରେ ବି ଲକ୍ଷ୍ୟଭେଦ କିଛି ବଦଳିନାହିଁ। ଘରୁ ତଡ଼ା ଖାଇବା ପରେ ଚନ୍ଦକା ଗାଁରୁ କିଛି ବର୍ଷ ହେବ ପଳାଇ ଆସି ସୁନ୍ଦରପୁରରେ ରହି ସେ ଗୋଟେ ଗ୍ୟାଙ୍ଗ୍ ଗଢ଼ିଥିଲା ଓ ତା’ର ସର୍ଦାର ବନିଥିଲା। ଚନ୍ଦକା ଯୋଗୀସାହି ଓ ଆଖପାଖ ଅଞ୍ଚଳର ବେକାର ଯୁବକମାନଙ୍କୁ ନେଇ ଖଣ୍ଡି ଗଢ଼ିଛି ଏକ ଶିକାରୀ ଗ୍ୟାଙ୍ଗ୍। ଭରତପୁର ସଂରକ୍ଷିତ ଜଙ୍ଗଲ ସହ ଚନ୍ଦକା ଅଭୟାରଣ୍ୟରେ ପଶୁ ଶିକାର କରି ମାଂସ ବେପାର କରିବା ହେଉଛି ଏହି ଗ୍ୟାଙ୍ଗ୍ର କାମ। ଖାଲି ଖୋର୍ଧା ନୁହେଁ, କଟକ ଓ ନୟାଗଡ଼ ଜିଲ୍ଲା ବନ ବିଭାଗ ବି ଖଣ୍ଡିକୁ ଖୋଜୁଥିଲା। କାରଣ ଏହି ସବୁ ଜିଲ୍ଲାର ଜଙ୍ଗଲମାନଙ୍କରେ ବି ଖଣ୍ଡି ଗ୍ୟାଙ୍ଗ୍ ସକ୍ରିୟ ଥିଲା।