ଖଣ୍ଡଗିରି: ଜଣେ ମହିଳାଙ୍କୁ ଜମି ବିକିବା ବାହାନାରେ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିଶ୍ୱନାଥ ସେଠୀଙ୍କୁ ଗିରଫ କରିଛି। ମୟୂରଭଂଜ ଜିଲ୍ଲା ଯଶିପୁର ଥାନା ଗୋଇଲି ଗାଁର ବାସିନ୍ଦା ଶ୍ରୀ ସେଠୀ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ବ୍ଲକ-୭ରେ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ରାଜଧାନୀରେ ଜମି କିଣାବିକାରେ ଦଲାଲି କରି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ପଦାଧିକାରୀ ଗିରଫ ହେବା ଘଟଣା ସ୍ଥାନୀୟ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ଶ୍ରୀ ସେଠୀ ବୁଧବାର ଚାକିରିରୁ ଅବସର ନେଇଥାଆନ୍ତେ। ଚାକିରି ସରିବାର ଠିକ୍ ଦିନକ ପୂର୍ବରୁ ତାଙ୍କ କେଳେଙ୍କାରୀ ଯୋଗୁଁ ଗିରଫ ହୋଇଥିବାରୁ ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅଭିଯୋଗକାରିଣୀ ମହିଳାଙ୍କ ବାଦ୍ ଅଭିଯୁକ୍ତ ଶ୍ରୀ ସେଠୀ ଅନ୍ୟ କିଛି ଜମି ଗ୍ରାହକଙ୍କୁ ମଧ୍ୟ ଠକିଥିବା ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ଖଣ୍ଡଗିରି କୋଳଥିଆ ସତ୍ୟସାଇ ଏନ୍କ୍ଲେଭ୍ରେ ରହୁଥିବା କଟକ ସାଲେପୁର କଟିକଟା ଅଞ୍ଚଳର କୁଞ୍ଜମୋହନ ବେହେରାଙ୍କ ସ୍ତ୍ରୀ ସସ୍ମିତା ଘାଟିକିଆ ନିକଟ ଶଙ୍କରପୁର ମୌଜାରେ ଏକ ଜମି କିଣିିବା ପାଇଁ ବିଶ୍ୱନାଥ ସେଠୀଙ୍କ ସହ ଯୋଗାଯୋଗ କରିଥିଲେ। ଘାଟିକିଆ ପୂର୍ଣଚନ୍ଦ୍ର ନାୟକଙ୍କ ନାମରେ ଥିବା ଖାତା ନଂ-୪୨୪/୫୮ , ପ୍ଲଟ ନଂ- ୧୯୮ ରେ ଥିବା ୭୨ ଡିସିମିିଲ ଜମିକୁ କିଣେଇ ଦେବାକୁ ଶ୍ରୀ ସେଠୀ ସସ୍ମିତାଙ୍କୁ କହିଥିଲେ। ସ୍ଥିତିବାନ୍ ଏହି ଜମି ରେକର୍ଡ ସବୁ ଠିକ୍ଠାକ୍ ଅଛି ବୋଲି ବୁଝାଇବା ସହ ଟଙ୍କା ତାଙ୍କ ହାତକୁ ଦେବେ ଓ ଜମି ନେବେ ବୋଲି ଶ୍ରୀ ସେଠୀ ବୁଝାଇଥିଲେ। ଜଣେ ବଡ଼ ପଦାଧିକାରୀଙ୍କ ଏଭଳି କଥାରେ ଭଳି ଯାଇ ସସ୍ମିତା ବ୍ୟାଙ୍କ ଚେକ୍ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ଗଣି ଦେଇଥିଲେ। ୨୦୧୨ ମସିହାରେ ଜମି ରେଜିଷ୍ଟ୍ରି ହୋଇଥିଲା। ଜମି ମାଲିକ ପୂର୍ଣଚନ୍ଦ୍ର ନାୟକ ଓ ତାଙ୍କ ଅଂଶୀଦାରମାନେ ବିକ୍ରି ଦଲିଲ୍ କରି ଦେଇଥିଲେ। କିନ୍ତୁ ୨୦୧୩ ମସିହାରେ ଜଣାପଡ଼ିଲା ଯେ ଉକ୍ତ ଜମି ଲିଜ୍ ସୂତ୍ରରେ ମିଳିଥିଲା ଓ ପରେ ତାହା ସରକାରୀ ଖାତାକୁ ଚାଲି ଯାଇଛି। ଏହା ଜାଣିବା ପରେ ସସ୍ମିତା ଟଙ୍କା ଫେରସ୍ତ ପାଇଁ ଶ୍ରୀ ସେଠୀଙ୍କୁ କହିଥିଲେ। ଏ ନେଇ କଥା ସେତେବେଳେ ପୁଲିସ ପର୍ଯ୍ୟନ୍ତ ଯାଇଥିଲା ଓ ଟଙ୍କା ଫେରାଇବେ ବୋଲି ଶ୍ରୀ ସେଠୀ ଚୁକ୍ତି ମଧ୍ୟ କରିଥିଲେ। କିନ୍ତୁ ପରେ ସେ ଧରାଛୁଅାଁ ଦେଇନଥିଲେ। ତେଣୁ ସସ୍ମିତା ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ତୁରନ୍ତ ପଦକ୍ଷେପ ନେବାକୁ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଖଣ୍ଡଗିରି ଥାନା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁ ଆଜି ସକାଳେ ଶ୍ରୀ ସେଠୀଙ୍କୁ ଗିରଫ କରିଥିଲେ।
ବନ୍ଧା ହେଲେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ
ଜମି ବିକିବା ବାହାନାରେ ୧୫ ଲକ୍ଷ ଟଙ୍କା ଚଳୁ
/sambad/media/post_attachments/wp-content/uploads/2018/01/arjun-thakei.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)