ବାରଙ୍ଗ: ବାରଙ୍ଗ ଥାନା ଅଧୀନ ବେଣ୍ଟକାରପଡ଼ା ବଜାରରେ ହୋଇଥିବା ବୋମାମାଡ଼ ଘଟଣାର ଅନ୍ୟତମ ଫେରାର ଆସାମୀ ବ୍ରାହ୍ମଣୀଗାଁ ପଦ୍ମନାଭ ନଗରର ସଦାଶିବ ଓରଫ ସଦାନନ୍ଦ ସାମଲ(୩୫)କୁ ବାରଙ୍ଗ ପୁଲିସ ଗିରଫ କରିଛି।
ଗତ ୨୦୧୬ ମସିହା ଜୁଲାଇ ୧୦ ତାରିଖରେ ବେଣ୍ଟକାରପଡ଼ା ବଜାର ଉପରେ ବୋମାମାଡ଼ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଞନ ଭୂୟାଁ ଓ ସନ୍ତୋଷ ଓରଫ ସମ୍ପଦ ସାହୁ ସହ ସଦାନନ୍ଦ ରାତି ୯ଟାରେ ଏକ କଳା ରଙ୍ଗର ପଲସର ଗାଡ଼ିରେ ଆସି ବେଣ୍ଟକାରପଡ଼ାର ଜନଗହଳିପୂର୍ଣ୍ଣ ବଜାରରେ ୫ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡ଼ରେ କଟକ ୪୨ ମୌଜାର କାଳନ୍ଦୀ ଦେବତା, ତୋଫାନୀ ସ୍ୱାଇଁ, ବାବୁଲି ଦାସ ପ୍ରମୁଖ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କଟକର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କାଳନ୍ଦୀ ଦେବତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୁଲିସ ସଂପୃକ୍ତ ୩ ଫୋରର ଆସାମୀ ବିରୋଧରେ ମକଦ୍ଦମା ରୁଜୁ କରିଥିଲା। ଗତ ଫେବ୍ରୁଆରି ମାସରେ ମୋବାଇଲ ଟ୍ରାକିଂ କରି ଜଗତପୁର ଅଂଚଳରୁ ମୁଖ୍ୟ ଆସାମୀ ରଞ୍ଜନକୁ ଗିରଫ କରିଥିଲା। ହେଲେ ସଦାନନ୍ଦ ଫେରାର ଥିଲା। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ତାକୁ ଗତ ରାତିରେ ଗିରଫ କରିଛି। ଗତ ଏକ ମାସ ହେଲା ସେ ଓଡ଼ିଶା ଫେରିଥିଲା। ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ସିମେଣ୍ଟ ଗଦିରେ ଶ୍ରମିକ ଭାବେ କାମ କରୁଥିଲା। ରାତିରେ ପଦ୍ମନାଭନଗର ସ୍ଥିତ ଘରକୁ ଆସି ରହୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/barang3.jpg)