ପିପିଲିର ଦୁଇ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ କମିସନରେଟ୍ ପୁଲିସର କୁଇକ୍ ଆକ୍ସନ ଟିମ୍ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ହାସନପୁରର ପରୀକ୍ଷିତ ପ୍ରଧାନ ଓ ମାଧିପୁରର ପ୍ରମୋଦ ମଙ୍ଗରାଜ। ଦୁହିଁଙ୍କ ନିକଟରୁ ପୁଲିସ ଦୁଇଟି ଅତ୍ୟାଧୁନିକ ୯ ଏମ୍ଏମ୍ ମାଉଜର୍ ଓ ୪ଟି ଅଫୁଟା ଗୁଳି ଜବତ କରିଛି। ଆଜି ଦୁହିଁଙ୍କୁ ନୂଆପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିଛି। କୁଇକ୍ ଆକ୍ସନ ଟିମ୍ ମୁଖ୍ୟ ଏସ୍ଆଇ ଦୀପକ ଲେଙ୍କାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଦୁହେଁ ଗତ ୧୦ ବର୍ଷ ହେବ ଏଭଳି କାରବାର କରି ଆସୁଛନ୍ତି। ପୂର୍ବରୁ ପରୀକ୍ଷିତଙ୍କୁ ଶ୍ରୀଲିଙ୍ଗରାଜ ଥାନାର ପୂର୍ବତନ ଇନ୍ସପେକ୍ଟର ଆଲୋକ ଜେନା ଗିରଫ କରିବା ସହିତ ମାଉଜର ଜବତ କରିଥିଲେ। ଗତ କିଛି ମାସ ହେବ ଦୁହେଁ ପୁଣି ଥରେ ରାଜଧାନୀରେ ବନ୍ଧୁକ କାରବାର ଆରମ୍ଭ କରି ଦେଇଥିଲେ। ବିଶେଷକରି ପଟିଆ ଅଞ୍ଚଳରେ ଥିବା କେତେକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ଦୁହିଁଙ୍କଠାରୁ ବନ୍ଧୁକ କିଣୁଥିଲେ ବୋଲି ଏସ୍ଆଇ ଲେଙ୍କା କହିଛନ୍ତି।
ଟ୍ରକ ଡ୍ରାଇଭର୍ରୁ ମାଉଜର ବେପାରୀ
୧୦ ବର୍ଷ ତଳେ ପରୀକ୍ଷିତ ଜଟଣୀ ଓ ଖୋର୍ଧା ଅଞ୍ଚଳରେ ଥିବା ପଥର ଖାଦାନରେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲେ। ଏହି ସମୟରେ ବିହାରର ମୁଙ୍ଗେର ଅଞ୍ଚଳର ଜଣେ ଟ୍ରକ ଡ୍ରାଇଭର୍ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଏହା ପରେ ଦୁହେଁ ମୁଙ୍ଗେର୍ରୁ ମାଉଜର୍ ଆଣି ଜଟଣୀ ଓ ଖୋର୍ଧା ଅଞ୍ଚଳରେ ଥିବା ପଥର ଖାଦାନ ମାଲିକଙ୍କୁ ବିକ୍ରି କରିଥିଲେ। ୧୦ ହଜାର ଟଙ୍କାରେ ମାଉଜର କିଣି ତାକୁ ୩୦ରୁ ୫୦ ହଜାର ଟଙ୍କା ମଧ୍ୟରେ ବିକ୍ରି କରିଥାନ୍ତି।
ଲୁଙ୍ଗିରେ ଆଣିଥିଲେ ମାଉଜର
/sambad/media/post_attachments/wp-content/uploads/2017/10/tapas-bandhuka3-1-300x225.jpg)
କୁଇକ୍ ଆକ୍ସନ ଟିମ୍ ସପ୍ତାହକ ତଳୁ ଦୁଇ ଜଣଙ୍କ ଉପରେ ନଜର ରଖିଥିଲା। ଦୁହିଁଙ୍କ ମୋବାଇଲ୍ ଫୋନ୍ ପୁଲିସ ଟ୍ରାକ୍ କରୁଥିଲା। ଦୁହେଁ ଶନିବାର ସନ୍ଧ୍ୟାରେ ପଟିଆ ଅଞ୍ଚଳର ଦୁଇ ଜଣ ଇଂଜିନିୟର ଛାତ୍ରଙ୍କୁ ମାଉଜର୍ ବିକ୍ରି କରିବାକୁ ଆସିଥିଲେ। ପୁଲିସ ଯେପରି ଜାଣି ନପାରିବ ପରୀକ୍ଷିତ ଗାଉଲିଁ ବେଶରେ ଲୁଙ୍ଗି ପିନ୍ଧି କାନ୍ଧରେ ଗାମୁଛା ପକାଇ ପିପିଲି ଅଞ୍ଚଳରୁ ଆସିଥିଲା। କିନ୍ତୁ ପୁଲିସ ତାକୁ ଜୟଦେବ ବିହାର ଛକରେ ଅଟକାଇଥିଲା। ଖାଲି ଦେହ ଦେଖି ତା ପାଖରେ ମାଉଜର୍ ଥିବ ବୋଲି ପୁଲିସ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲା। କିନ୍ତୁ ତାକୁ ଗାଡ଼ି ଭିତରକୁ ନେଇ ଯାଞ୍ଚ କରିବା ପରେ ଲୁଙ୍ଗି ତଳେ ପିନ୍ଧିଥିବା ଏକ ହାଫପ୍ୟାଣ୍ଟରେ ମାଉଜର ଖୋସିଥିଲା। ପରୀକ୍ଷତିକୁ ପଚରାଉଚରା କରିବା ପରେ ତାର ଜଣେ ସହଯୋଗୀ ପ୍ରମୋଦଙ୍କ ବିଷୟରେ ସୂଚନା ଦେଇଥିଲା। ପୁଲିସ ପ୍ରମୋଦକୁ ପରୀକ୍ଷିତ ଫୋନ୍ରେ ଆଉ ଗୋଟିଏ ମାଉଜର ନେଇ ଭୁବନେଶ୍ୱର ଆସିବାକୁ କହିଥିଲା। ପ୍ରମୋଦ ଭୁବନେଶ୍ୱର ଆସିବା ପରେ କ୍ୟୁଏଟି ତାକୁ ଗିରଫ କରିଥିଲା। ତା ନିକଟରୁ ମଧ୍ୟ ଗୋଟିଏ ମାଉଜର୍ ମିଳିଥିଲା।
୩ ମାସରେ ୬ଟି ବନ୍ଧୁକ ଜବତ, ୧୧ ଜଣ ବେପାରୀ ଗିରଫ
କୁଇକ୍ ଆକ୍ସନ ଟିମ୍ ମୁଖ୍ୟ ଭାବେ ଏସ୍ଆଇ ଦୀପକ ଲେଙ୍କା ଯୋଗ ଦେବା ପରେ ୧୧ ଜଣ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହିତ ୬ଟି ମାଉଜର୍ ଜବତ କରି ସାରିଲେଣି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର ହେବ ବୋଲି ଏସଆଇ ଲେଙ୍କା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/tapas-bandhuka-bepara2.jpg)