ଆଇନଜୀବୀଙ୍କୁ ଆକ୍ରମଣ କରି ୪ ଗିରଫ:ଆଇନ ସହାୟତା ନଦେବାକୁ ଓକିଲ ସଂଘର ନିଷ୍ପତ୍ତି

ପାରାଦୀପ: ଗତ କିଛିଦିନ ହେଲା ପାରାଦୀପ ଅଶାନ୍ତ ହୋଇପଡ଼ିଛି। ପ୍ରତ୍ୟେକ ଦିନ କିଛି ନା କିଛି ଗଣ୍ଡଗୋଳ ଘଟୁଥିବାରୁ ପୁଲିସର ଚିନ୍ତା ବଢ଼ି ଯାଇଛି। ଗତ ୩୦ତାରିଖ ଦିନ ଜଣେ ଓକିଲଙ୍କୁ ତାଙ୍କ ଚ୍ୟାମ୍ବରରେ ପଶି ଆକ୍ରମଣ ହୋଇଥିବା ଅଭିଯୋଗ ଉପରେ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇନଥିବା ବେଳେ ଗତକାଲି ପୁଣି ମଧୁବନସ୍ଥିତ କ୍ୟାବିନ ମାର୍କେଟରେ ଆଉ ଜଣେ ଆଇନଜୀବୀଙ୍କୁ କେତେଜଣ ଯୁବକ ମାଡ଼ମାରି ଲହୁଲୁହାଣ କରିଛନ୍ତି। ଗୁରୁତର ଅବସ୍ଥାରେ ଏସ୍‍ସିବିରେ ଭର୍ତ୍ତିି ହୋଇ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଆଇନଜୀବୀ କୈଳାସ ଚନ୍ଦ୍ର ସାହୁ ବିଜେପିର ପାରାଦୀପ ମଣ୍ଡଳ ସଭାପତି ଦାୟିତ୍ଵରେ ମଧ୍ୟ ଅଛନ୍ତି। ତାଙ୍କ ଅଭିଯୋଗ ଉପରେ ପୁଲିସ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାକୁ ନେଇ ଅପରପକ୍ଷରୁ ମଧ୍ୟ ଆଇନଜୀବୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଓକିଲଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କୁ ସହଯୋଗ ନ କରିବାକୁ ଓକିଲ ସଂଘ ପକ୍ଷରୁ ଘୋଷଣା କରାଯାଇଛି।
ଓକିଲଙ୍କ ଅଭିଯୋଗ ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ କ୍ୟାବିନ୍‍ ମାର୍କେଟ୍‍ରେ କେତେଜଣ ଯୁବକ ବସି ଖଟି କରୁଥିଲେ। ଏହି ସମୟରେ ସେଠାରେ ଆଇନଜୀବୀ ଶ୍ରୀ ସାହୁ ପହଞ୍ଚି ଏତେ ରାତି ପର୍ଯ୍ୟନ୍ତ କେଉଁ କାରଣରୁ ଏଠାରେ ବସିଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହାପରେ ଯୁବକମାନେ କୈଳାସଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। କୈଳାସଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ ହସ୍‍ପିିଟାଲ ଓ ପରେ ଏସ୍‍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଗତକାଲି ରାତିରେ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୁଲିସ ଉତ୍ତମ କୁମାର ଓଝା, ବିଶ୍ୱ ରଂଜନ ଓଝା, ଚନ୍ଦ୍ରକାନ୍ତ ଦାସ ଓ ରାଜୁ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅପରପକ୍ଷରେ ସକାଳୁ ସ୍ଥାନୀୟ ବଜାର ଓ ଓ୍ଵାର୍ଡ ବାସିନ୍ଦାମାନେ ଥାନାରେ ପହଞ୍ଚି କୈଳାସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଓକିଲ ଶ୍ରୀ ସାହୁ ନିଶାସକ୍ତ ଅବସ୍ଥାରେ ନଗେନ୍ଦ୍ର ମହାରଣା ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିଛନ୍ତି ବୋଲି ତାଙ୍କ ପତ୍ନୀ ଊର୍ମିଳା ମହାରଣା ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ସାହୁଙ୍କ ମାଡ଼ରେ ନଗେନ୍ଦ୍ରଙ୍କ ମୁହଁରେ ଶକ୍ତ ଆଘାତ ଲାଗିଛି। ସେ ମଧ୍ୟ ଏସ୍‍ସିବିରେ ଭର୍ତ୍ତିି ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଥାନାରେ ଆଉ ଏକ ମାମଲା ଦାଏର ହୋଇଛି। ତେବେ, ଏହି ଘଟଣାରେ କୁଜଙ୍ଗ ବାର୍‍ ଆସୋସିଏସନ ହସ୍ତକ୍ଷେପ କରିଛି। ଓକିଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ସଂଘ ନିନ୍ଦା କରିବା ସହ ବାରମ୍ବାର ଆଇନଜୀବୀଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଗିରଫ ୪ଜଣଙ୍କୁ କୁଜଙ୍ଗ କୋର୍ଟରେ କୌଣସି ଆଇନଜୀବୀ ସହଯୋଗ କରିବେ ନାହିଁ ବୋଲି ସଂଘ ସଭାପତି ଏନ୍‍ଡି ଯାଦବ ସୂଚନା ଦେଇଛନ୍ତି। ଆଇନଜୀବୀଙ୍କ ବିରୋଧରେ ପାଲଟା ଅଭିଯୋଗ କରାଯାଉଥିବାରୁ ପୁଲିସର ଭୂମିକା ସନ୍ଦେହରେ ରହୁଛି ବୋଲି ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି, ଗତକାଲି ଆଇନଜୀବୀ ଦେବବ୍ରତ ସାହୁଙ୍କୁ ପାରିଷଦ ମାନସ ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ମାନସ ମଧ୍ୟ ଆଇନଜୀବୀ ଶ୍ରୀ ସାହୁଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର